ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ   ବିଜେଡି ସରକାରରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଏକ ଗରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରି ଆସୁଥିବା ବେଳେ  ଭାଜପାର ବିଭୂତି ଜେନା ବିଧାୟକ ହେବା ସହ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ଅନ୍ୟ ପଟେ ଗୋପାଳପୁରର ତିନି ଥରର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଥିଲେ। ଏବେ ଭାଜପା ଟିକେଟରୁ ଲୋକସଭା ବ୍ରହ୍ମପୁର ଏମ୍‌ପି ହୋଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଉ ଦେଢ଼ ବର୍ଷରୁ କମ ସମୟ ବାକି ଥିବା ବେଳେ ଗୋପାଳପୁର ରାଜନୀତି ପୁଣିଥରେ କଡ ଲେଉଟାଉଥିବା ଦେଖିବାକୁ ମିଳିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ପରାଜୟ ବରଣ କରିଥିବା ତଥା  ଜିଲା ସଭାପତି ବିକ୍ରମ ପଣ୍ଡା ଏବେ ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ବେଳେ ବିଜେଡ଼ିର ଦୁଇ ଯୁବ ନେତା ୨୦୨୪ ନିର୍ବାଚନ ସମୟରେ ବିକ୍ରମଙ୍କ ସହଯୋଗୀ ତଥା ଘନିଷ୍ଠ ଥିବା  ଜିଲା ପରିଷଦ ପ୍ରାର୍ଥୀ ଶୁଭାଶିଷ ସାହୁ (ବଣ୍ଟି) ଓ ବିଜେଡି ସମର୍ଥିତ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କୁ ଭାଜପା ଶିବରରେ ଅଧିକାଂଶ ସମୟ ଦେଖିବାକୁ ମିଳୁଛି। ଏହି ଦୁଇ ନେତା ଏବେ ବିଜେଡିରେ ଥିବା ବେଳେ ଖୁବଶିଘ୍ର ଭାଜପାରେ ଯୋଗ ଦେଉଥିବା ନେଇ ରାଜନୀତି ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର କନିସି ହାଟ ସ୍ଥିତ ଶୁଭାଶିଷଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଏମ୍‌ପି ଡ଼ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିଥିଲା। ୧୦ରୁ ୧୫ ସରପଞ୍ଚଙ୍କ ସହିତ କିଛି ସମିତି ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ସେଠାରେ ଗୋପାଳପୁର ରାଜନୀତି ସମୀକରଣ ସମ୍ପର୍କରେ ଆଲୋଚନା ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। କିଛି ଦିନ ପୂର୍ବେ ମଧ୍ୟ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଏହି ଦୁଇ ଜଣଙ୍କୁ ଏମ୍‌ପିଙ୍କ ସହ ଗୁପ୍ତ ବୈଠକ କରିଥିଲେ । ଯାହାକୁ ନେଇ ଖୁବଶୀଘ୍ର ଗୋପାଳପୁର ନିର୍ବାଚନମଣ୍ଡଳୀରେ ବଡ ଧରଣର ରାଜନୈତିକ ପରିବର୍ତ୍ତନ ହେବାର ଆଭାସ ମିଳୁଛି। ଏହି ଦୁଇ ଜଣ ଭାଜପା ଯୋଗଦେବା ପରେ ଗୋପାଳପୁର ରାଜନୀତି ପାଣିପାଗ ବଦଳିବା ସହ ନୂତନ ସମୀକରଣ ହେବା ନେଇ ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।

Dharitri – Odisha’s No.1 Odia Daily
.