ଚିନ୍ତା ବଢାଇଲା ଯୁଦ୍ଧ: ଗ୍ୟାସ ପାଇଁ ଭୁବନେଶ୍ୱରରେ ହାହାକାର! ରାତିରୁ ଲମ୍ବା ଲାଇନ୍‌

ଭୁବନେଶ୍ୱର,୧୦।୩: ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ। LPG ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ଲାଗିଛି । ଗ୍ୟାସ ଖାତା ଜମା ରଖି ଗ୍ରାହକ ବସିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ୨୦-୨୫ ଦିନ ତଳୁ ଗ୍ୟାସ ବୁକ କରି ଥିଲେ ବି ଡେଲିଭରି ହୋଇପାରିନି। ହୋମ ଡେଲିଭରୀ ମଧ୍ୟ ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି।

ସେପଟେ LPG ସିଲିଣ୍ଡର୍‌ ବୁକିଂ ଅବଧି ବୃଦ୍ଧି ହୋଇଛି। ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ରୋକିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।

ଲୋକଙ୍କ ପାଖରେ LPG ଅଭାବ ନହେବାକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ LPG ଆମଦାନୀ ପ୍ରଭାବିତ ହୋଇଥିବା ବେଳେ LPG ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ନାହିଁ। କିନ୍ତୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାର ଟପିଲେ ବିଚାର କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତୈଳ ଏବଂ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦେଶରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ (ESMA) ଲାଗୁ କରିଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଫେବୃଆରୀ ୨୮ ତାରିଖରୁ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରୁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହା ଦେଶରେ ରନ୍ଧନ ଗ୍ୟାସ ସଙ୍କଟକୁ ଆହୁରି ଘନିଷ୍ଠ କରିଥିବା ବେଳେ, ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ସଙ୍କଟ ମଧ୍ୟ ଘନିଷ୍ଠ ହେବ ବୋଲି ଅନୁମାନ କରାଯାଉଛି। ତେଣୁ, ସତର୍କତାମୂଳକ ପଦକ୍ଷେପ ସ୍ବରୂପ ESMA ଲାଗୁ କରାଯାଇଛି।

Dharitri – Odisha’s No.1 Odia Daily

Share