ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଉ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୬୦୬ ଡାକ୍ତର ପଦବୀ ରହିଥିବାବେଳେ ଏବେ ମାତ୍ର ୧୯୯ ଜଣ ରହିଛନ୍ତି। ୪୦୭ ଜଣ ଅର୍ଥାତ୍ ୬୭% ଡାକ୍ତର ପଦବୀ ଖାଲିପଡିଛି। ସେହିପରି ଆୟୁଷ ମେଡିକାଲ ଅଫିସର ୫୫ ମଧ୍ୟରୁ ବର୍ତ୍ତମାନ ୪୧ ଥିବାବେଳେ ୧୪ଟି ପଦବୀ ଖାଲିପଡିଛି। ଷ୍ଟାଫ୍ନର୍ସ ୩୫୬ ମଧ୍ୟରୁ ୨୩୯ଜଣ ଥିବାବେଳେ ୧୧୭ଟି ଖାଲିପଡିଛି। ସିଏଚ୍ଓ (କମୁନିଟି ହେଲ୍ଥ ଅଫିସର) ୧୯୯ ମଧ୍ୟରୁ ୧୮୬ ଜଣ ରହିଥିବାବେଳେ ୧୩ ପଦବୀ ଖାଲିପଡିଛି। ଫାର୍ମାସିଷ୍ଟ ୯୦ ମଧ୍ୟରୁ ବର୍ତ୍ତମାନ ୭୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମ୍ପିଏଚ୍ଏସ୍ (ପୁରୁଷ) ୬୦ରୁ ୪୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମପିଏଚ୍ଏସ୍ (ମହିଳା)/ଏଲ୍ଏଚ୍ଭି ୪୬ରୁ ୧୭ ଜଣ ରହିଥିବାବେଳେ ୨୯ ପଦବୀ ଖାଲିପଡିଛି। ଏଲ୍ଟି ୫୫ଜଣ ମଧ୍ୟରୁ ୨୯ ଜଣ ରହିଥିବାବେଳେ ୨୬ ପଦବୀ ଖାଲି ପଡିଛି। ରେଡିଓଗ୍ରାଫର ୧୯ଜଣଙ୍କ ମଧ୍ୟରୁ ୧୬ ଜଣ ରହିଥିବାବେଳେ ୩ ପଦବୀ ଖାଲିପଡିଛି। ଏମ୍ପିଏଚ୍ଡବ୍ଲ୍ୟୁ (ପୁରୁଷ) ୧୮୫ ମଧ୍ୟରୁ ୧୮୧ ଜଣ ରହିଥିବାବେଳେ ୪ ପଦବୀ ଖାଲିପଡିଛି। ଏହି ତଥ୍ୟ ଦେଖିଲେ ଜିଲାରେ କିପରି ସ୍ବାସ୍ଥ୍ୟ ସେବା ପରିଚାଳନା ହେଉଥିବ ତାହା ସହଜେ ଅନୁମେୟ। ବୁଧବାର ଜିଲାପରିଷଦ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଡା. ମିନତୀଲତା ଦାସ ଏହି ସମସ୍ୟା ଉପସ୍ଥାପନ କରିଥିଲେ। ଜିଲାରେ ଏତେ କମ୍ ସଂଖ୍ୟକ ଡାକ୍ତର, କର୍ମଚାରୀ ପଦବୀ ଖାଲିପଡିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଟିଏ ଉପଖଣ୍ଡ ଡାକ୍ତରଖାନା, ୧୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୪୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୟୁଏଚ୍ଡବ୍ଲ୍ୟୁସି ୪ ଓ ଉପସ୍ବାସ୍ଥ୍ୟ କେନ୍ଦ୍ର ୨୪୧ଟି ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।