ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଇନ୍ଦ୍ରମଣି ମହାପାତ୍ରଙ୍କ ଘରେ ଗୁରୁବାର ଦିନ ଦ୍ବିପହରରେ କବାଟ ତାଡ଼ି ଆସବାବପତ୍ର ସହ ସୁନାଗହଣା ଚୋରି ହୋଇଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଇନ୍ଦ୍ରମଣି ଓ ତାଙ୍କ ପତ୍ନୀ ଦିନ ଏଗାରଟା ସମୟରେ ଘରେ ଚାବି ପକାଇ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେବାକୁ ଯାଇଥିଲେ । ଇନ୍ଦ୍ରମଣି ମହାପାତ୍ର, ଜଣେ ଅବସରପ୍ରାପ୍ତ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ। ତାଙ୍କ ଦୁଇ ପୁଅ ବାହାରେ ରୁହନ୍ତି। ହେଲେ ଦ୍ବିପହର ତିନିଟା ସମୟରେ ଘରେ ପହଞ୍ଚି ଦେଖଲା ବେଳକୁ ମୁଖ୍ୟ ଦ୍ଵାର କବାଟ ଭଙ୍ଗାରୁଜା ହୋଇଥିଲା ଏବଂ ଭିତରେ ଜିନିଷପତ୍ର ଏଣେତେଣେ ବିଛାଡି ହୋଇ ପଡ଼ିଥିଲା। ଲୁହା ଆଲମିରା ଭଙ୍ଗା ଯାଇ ସୁନାଗହଣା ମଧ୍ୟ ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଖବରପାଇ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ୱରେ ପୋଲିସ ଏସ ଆଇ ସରୋଜ କୁମାର ଜେନାଙ୍କ ସହ ଏଏସଆଇ ପ୍ରଦିପ କୁମାର ଦେ ପୋଲିସ ଟିମ ସହ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସନ୍ଧ୍ୟାରେ ବାରିପଦାରୁ ଫରେନସିକ ଟିମ ଓ ଡଗ୍ ସ୍କ୍ୱାର୍ଡ ର ସହଯୋଗରେ ଅଧିକ ତଦନ୍ତ ଜାରି ରହିଛି ।