ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍ ସମୟରେ ମା’ଙ୍କ ପୂଜା ପୂଜା କରିବାକୁ ଆସିଥିବା ସମୟରେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର ଦେଖିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଲେ। ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ମନ୍ଦିର ଟ୍ରଷ୍ଟି ଉପଜିଲାପାଳଙ୍କୁ ସୂଚନା ଦେଇଥିଲେ। ତେବେ ମା’ଙ୍କର କେତେ ସୁନା, ଗହଣା ଓ ଟଙ୍କା ପଇସା ଚୋରି ହୋଇଛି, ତାହା ଜଣା ପଡ଼ିନାହଁ। ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦେଶରେ ସାଇଣ୍ଟିଫକ୍ ଟିମ୍, ସନ୍ଧାନୀ କୁକୁର ଟିମ୍ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।
ଅନ୍ୟପଟେ ମା’ଙ୍କ ମନ୍ଦିରରେ ବାରମ୍ବାର ଏହିପରି ଘଟଣା ଘଟୁଥିବା ବେଳେ ସେବାୟତମାନେ ଜିଲା ପ୍ରଶାସନଙ୍କୁ ଆବଶ୍ୟକ ସିସିଟିଭି ଲଗାଇବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନ ଥିବା କହିଛନ୍ତି। ଯାହାକୁ ନେଇ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର ଭିତରେ କିଛି କାର୍ଯ୍ୟ ଚାଲୁଥିବାରୁ ସିସି କ୍ୟାମେରା ଖୋଲା ଯାଇଥିଲା। ଏହାର ସୁଯୋଗରେ ଚୋରି ହୋଇଥିବା ଉପଜିଲାପାଳ କହିଛନ୍ତି। ତେବେ ଖୁବ୍ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ଏସ୍ପି କହିଛନ୍ତି।