ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି। ତେବେ ଚୋରି କରୁଥିବା ବେଳେ ଜଣଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ମଧ୍ୟରେ ପଶି ଚୋରି କରୁଥିବା ସମୟରେ ଦୋକାନୀ ଖବର ପାଇ ଆସି ବାହାରୁ ଚାବି ପକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ଦୁଇ ଜଣଙ୍କୁ ପଚରାଉଚରା ପାଇଁ ଆଣିଥିବା ଜଣାପଡ଼ିଛି। ସେହିପରି ନିକଟରେ ଥିବା ଏକ ଗ୍ରାହକ ସେବାକେନ୍ଦ୍ରରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ପୋଲିସ ପକ୍ଷରୁ କିଛି ଦିନ ପୂର୍ବେ ଅନେକ ଚୋରଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ସେମାନେ ମାତ୍ର ଗୋଟିଏ ଦିନ ମଧ୍ୟରେ ବେଳରେ ଆସିଥିବା ମଧ୍ୟ ଜାଣିବାକୁ ମିଳିଛି। ତେବେ ଧର୍ମଶାଳାଠାରେ ପୋଲିସ ଷ୍ଟେଶନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପୋଷ୍ଟ ଅଫିସ, ତହସିଲ କାର୍ଯ୍ୟାଳୟ ଓ ସ୍କୁଲ ରହିଥିବା ବେଳେ ଏହାର ପାଖରେ ଛୋଟ ବଡ଼ ୩୦ରୁ ଏକାଧିକ ଦୋକାନ ରହିଛି। ତେବେ ସବୁଠାରୁ ବଡ଼ କଥା ଥାନାର ଅତି ନିକଟ ବଜାର ଏହା ହୋଇଥିବା ସତେ ଚୋର ଏହି ବଜାରକୁ ଛାଡ଼ି ନାହାନ୍ତି। ଏହି ଅଞ୍ଚଳରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କାଲିର ଯୁବପିଢ଼ିମାନେ ଏହା କବଳ ଆସି ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ନିଶା ବେପାରୀମାନେ ଛିଡ଼ା ହୋଇ ରହୁଛନ୍ତି ଏବଂ ଯୁବକମାନଙ୍କୁ ବିକ୍ରି କରି ସେମାନଙ୍କୁ ଖରାପ କରିବା ସହ ନିଜେ ମାଲାମାଲ ହେଉଛନ୍ତି। ଏହି ନିଶା ଟିକେ କିଣିବା ପାଇଁ ଯୁବକମାନେ ଚୋରି ଭଳି ରାସ୍ତାକୁ ବାଛି ନେଉଛନ୍ତି। ଅନ୍ୟପକ୍ଷରେ ଧର୍ମଶାଳା ପୋଲିସର ନିଷ୍କ୍ରିୟତା ଯୋଗୁ ଏଭଳି ଘଟଣା ହେଉଥିବା ଚର୍ଚ୍ଚା ହେଉଛି। ଥାନାରେ ମାଳମାଳ ଗାଡ଼ି ଥିବାବେଳେ ପୋଲିସର ଆଦୌ ପାଟ୍ରୋଲିଂ ଦେଖିବାକୁ ମିଳୁନି। ଯଦ୍ୱାରା ଅତି ସହଜରେ ଚୋରମାନେ ଏହି ଭଳି କାଣ୍ଡ କରୁଥିବା ଲୋକେ କହିଛନ୍ତି।