ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରଭାବ ଦିନରେ ବହୁତ କମ୍ ଦେଖାଯାଇଛି। ତେବେ ଶୀତ କମିଥିଲେ ମଧ୍ୟ ସହରର ଜଳବାୟୁ ଓ ଦାରିଙ୍ଗବାଡ଼ିର ପରିବେଶ ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଛୁଟି ପଡ଼ିବା କ୍ଷଣି ବିଶେଷ କରି ରବିବାର ଶତାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିଥିବା ହିଲଭିୟୁ ପାର୍କ ଓ କଫି ବଗିଚା ଏବଂ ଡ଼ୁଲୁରୀ ପାଇନବଣର ଟିକେଟ ସଂଗ୍ରହରୁ ଜଣାପଡ଼ିଛି। ଛୁଟିଦିନରେ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ହିଲ୍ଭିୟୁ ଏବଂ କଫି ବଗିଚାରେ ପର୍ଯ୍ୟଟକ ମଜା ନେବା ସହ ଫଟୋ ଉତ୍ତୋଳନ କରିବା ନାଚ ଗୀତ କରି ମଜା ନେଉଥିବା ଜଣାପଡ଼ିଛି। ହିଲଭିୟୁ ପାର୍କର ମ୍ୟୁଜିକାଲ ଫାଉଣ୍ଟେନରେ ସନ୍ଧ୍ୟା ସମୟରେ ମ୍ୟୁଜିକ୍ର ତାଳେ ତାଳେ ପର୍ଯ୍ୟଟକ ନୃତ୍ୟ କରୁଥିବା ଦୃଶ୍ୟ ବେଶ୍ ଚିତ୍ତାକର୍ଷକ ରହିଥିଲା। କଫି ବଗିଚାକୁ ମଧ୍ୟ ଆଲୋକ ବ୍ୟବସ୍ଥା କରାଯାଇଥିବାରୁ ପାର୍ଯ୍ୟଟକ ଏବେ ରାତି ୮ଟା ପର୍ଯ୍ୟନ୍ତ ବୁଲି ମଜା ନେଉଛନ୍ତି।
ସେହିପରି କଫି ବଗିଚା ଭିତରେ ରହିଥିବା କଫି କାଫେରେ ଜୈବିକ କଫି ପିଇ ପର୍ଯ୍ୟଟକ ମଜା ନେଉଥିବା ଜଣାପଡ଼ିଛି। ଚଳିତ ମାସର ପ୍ରଥମ ରବିବାରରେ ବିଶେଷ କରି ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ କଲେଜ ପିଲାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।