ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା ଲୋକଙ୍କୁ ଅନେକ କ୍ଷେତ୍ରରେ ପଛରେ ପକାଇ ଦେଇଛନ୍ତି। ‘ବର୍ଣ୍ଣବୈଷମ୍ୟ’ ଅତୀତ ପୃଷ୍ଠାରୁ ଅତ୍ୟାବଧି ଏକ ବଡ଼ ଅଂଶ ମାଡ଼ି ବସିଛି। ପିଢ଼ି ପରେ ପିଢ଼ି ତାହାକୁ ପଢ଼ି ଚାଲିଛନ୍ତି। ମାତ୍ର ଯେତେବେଳେ ସେହି କଳା ଲୋକ କାହାଣୀରେ ନିର୍ଯାତିତ ହେଉଥିବାର ଚରିତ୍ରରେ ନ ରହି ପୁସ୍ତକ ରଚନା କରି ସମସ୍ତଙ୍କ ନଜରକୁ ଆସନ୍ତି, ସେତେବେଳେ ଅସହାୟ ଗୋରା ଲୋକ ଲଜ୍ଜିତ ହେବା ସ୍ବାଭାବିକ। ୨୦୨୦ ବୁକର୍‌ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଜିମ୍ବାଓ୍ବେର ଲେଖିକା ସିଟ୍‌ସି ଡଙ୍ଗରେମ୍ବୋଗାଙ୍କ ନାମ ‘ପେନ୍‌ ପିଣ୍ଟର ପୁରସ୍କାର ୨୦୨୧’ ବିଜେତା ଲାଗି ଘୋଷଣା ହେବା ପ୍ରମାଣ କରିଦେଇଛି ଯେ, ସୃଜନଶୀଳତା କଳା ଗୋରା ଭେଦଭାବ ରଖେ ନାହିଁ। ୧୧ ଅକ୍ଟୋବରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ନୋବେଲ ପୁରସ୍କାର ବିଜେତା ବ୍ରିଟିଶ ନାଟ୍ୟକାର ହାରୋଲ୍‌ଡ ପିଣ୍ଟରଙ୍କ ସ୍ମୃତିରେ ବାକ୍‌ ସ୍ବାଧୀନତା ଅଭିଯାନ ଦିଗରେ କାର୍ଯ୍ୟରତ ବିଶ୍ୱର ସର୍ବପୁରାତନ ମାନବ ଅଧିକାର ସଙ୍ଗଠନ ‘ଇଂଲିଶ୍‌ ପେନ୍‌’ ୨୦୦୯ରେ ‘ପେନ୍‌ ପିଣ୍ଟର ପ୍ରାଇଜ୍‌’ ପ୍ରତିଷ୍ଠା କରିଥିଲା। ଏହାର ବିଜେତା ଆୟର୍ଲାଣ୍ଡ, ବ୍ରିଟେନ, ରାଜ୍ୟଗୋଷ୍ଠୀ ମଧ୍ୟରେ ଆସୁଥିବା ରାଷ୍ଟ୍ରର ଇଂଲିଶ ଭାଷାରେ ଲେଖୁଥିବା ଲେଖକଙ୍କୁ ପ୍ରଦାନ କରାଯାଇ ଆସୁଛି।
ସିଟ୍‌ସି ୪ ଫେବୃୟାରୀ ୧୯୫୯ରେ ଦକ୍ଷିଣ ରୋଡେସିଆର ମୁଟୋକୋ (ବର୍ତ୍ତମାନ ଜିମ୍ବାଓ୍ବେ)ଠାରେ ଜନ୍ମଗ୍ରହଣ କରିଥିଲେ। ସ୍ଥାନୀୟ ସ୍କୁଲରେ ମାତାପିତା ଉଭୟ ଶିକ୍ଷକତା କରୁଥିଲେ। ମାତା ସୁସାନ୍‌ ଦକ୍ଷିଣ ରୋଡେସିଆର ପ୍ରଥମ କୃଷ୍ଣକାୟ ମହିଳା ଭାବେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପିତା ଅମୋନ ଉଚ୍ଚଶିକ୍ଷିତ ଥିଲେ। ଅଧିକ ପଢ଼ିବା ଲାଗି ମାତାପିତା ଇଂଲଣ୍ଡ ପଳାଇଯାଇଥିଲେ। ସେହି ସମୟରେ ମାତାପିତା ଚାହୁଁଥିଲେ ସେମାନଙ୍କ ପୁଅ ଓ ଝିଅ ଇଂଲିଶ ପଢ଼ନ୍ତୁ। ସେଠାରେ ଥିବା ବେଳେ ଭାଇ ଭଉଣୀ ଇଂଲିଶରେ କଥା ହେଉଥିଲେ। ସେମାନେ ଇଂଲିଶ ସହ ଏଭଳି ଅଭ୍ୟସ୍ତ ହୋଇଯାଇଥିଲେ ଯେ ମାତୃଭାଷା ‘ଶୋନା’କୁ ଭୁଲି ଯାଇଥିଲେ। ମାତ୍ର ଛ’ ବର୍ଷ ରହଣିରେ ତାଙ୍କ ପଢ଼ା ସେହିଠାରେ ଶେଷ ହୋଇଥିଲା। ମାତାପିତା ୧୯୬୫ରେ ରୋଡେସିଆ ଫେରି ଆସିଥିଲେ। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ପିଲାମାନେ ଶୋନା ଭାଷାକୁ ପୁନଃ କରାୟତ୍ତ କରିଥିଲେ ହେଁ ପଢ଼ାର ମାଧ୍ୟମ ଇଂଲିଶ ରଖି ମିସନାରୀ ସ୍କୁଲରେ ପଢ଼ିଥିଲେ। ସ୍କୁଲ ବେଳେ ସିଟ୍‌ସି ଅତି ମେଧାବୀ ଛାତ୍ରୀ ଥିଲେ। ସାଲିବୁରୀ (ବର୍ତ୍ତମାନର ହାରାରେ)ରୁ ପଢ଼ା ଶେଷ କରିବା ପରେ ସେ ୧୯୭୭ରେ ଡାକ୍ତରୀ ପଢ଼ିବାକୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇଥିଲେ। ହେଲେ ସେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ। ଏପରିକି ୩ ବର୍ଷ ପଢ଼ିବା ପରେ ନିର୍ଯାତନା ସହି ନ ପାରି ସେଠାରୁ ଫେରି ଆସିଥିଲେ ନିଜ ଦେଶ ଜିମ୍ବାଓ୍ବେ। ଡାକ୍ତରୀ ପାଠ ଛାଡ଼ି କିଛି ବର୍ଷ ସ୍କୁଲରେ ପାଠ ମଧ୍ୟ ପଢ଼ାଇଥିଲେ। ତା’ ପରେ ଜିମ୍ବାଓ୍ବେ ବିଶ୍ୱବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଷୟ ରଖି ପାଠ ପଢ଼ିଥିଲେ। ଏହା ପରେ ଦୁଇ ବର୍ଷ ଏକ ମାର୍କେଟିଂ ଏଜେନ୍ସିରେ କପିରାଇଟର ଭାବେ କାର୍ଯ୍ୟ କରିଥିଲେ। କେବଳ ସେତିକି ନୁହେଁ, ଏକ ଥିଏଟର ଗ୍ରୁପ୍‌ରେ ସେ ସାମିଲ ହୋଇଥିଲେ। କିନ୍ତୁ ମହିଳାଙ୍କୁ ଅଭିନୟ କରିବାର ସୁଯୋଗ ମିଳୁ ନ ଥିଲା। କେବଳ ନାଟ୍ୟ ପ୍ରଯୋଜନା ଦାୟିତ୍ୱ ମିଳିଥିଲା। ମହିଳାଙ୍କୁ ଅଣଦେଖା କରାଯାଉଥିବାରୁ ସିଟ୍‌ସିଙ୍କ ମନରେ ଦୁଃଖ ଆସିଥିଲା। ସେ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇ ପୁରୁଷପ୍ରାଧାନ୍ୟ ଲେଖକ ସମାଜରେ ବ୍ୟତିକ୍ରମ ଆଣି ଲେଖିକା ହେବାକୁ ଆଗ୍ରହ ଦେଖାଇ ଥିଲେ। ସେହି ପ୍ରତିଜ୍ଞା ତାଙ୍କୁ ୧୯୮୩ରେ ‘ଲଷ୍ଟ ୍‌ଅଫ୍‌ ଦି ସଏଲ୍‌’ ନାଟକ ଲେଖାଇ ସଫଳତା ଦେଇଥିଲା। ପରେ ସେ ‘ସି ନୋ ଲଙ୍ଗର ଉଇପ୍ସ’ ଓ ‘ଦି ଥାର୍ଡ ଓ୍ବାନ୍‌’ ଲେଖି ଚହଳ ପକାଇଥିଲେ। ସେହି ସମୟ ମଧ୍ୟ ତାଙ୍କୁ ଆମେରିକୀୟ ଲେଖିକା ଓ ଆଫ୍ରିକୀୟ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରିବାକୁ ସୁଯୋଗ ଦେଇଥିଲା। ଫଳସ୍ବରୂପ ତାଙ୍କ ଇଂଲିଶ ଲେଖା ଅତ୍ୟନ୍ତ ପ୍ରଭାବଶାଳୀ ହେଲା। ୧୯୮୫ରେ ତାଙ୍କ କ୍ଷୁଦ୍ରଗଳ୍ପ ‘ଦି ଲେଟର’ ସ୍ବେଡିଶ୍‌ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ କର୍ପୋରେଶନ ଏଜେନ୍ସି ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରୁ ଇଂଲିଶ ସାହିତି୍ୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ତାଙ୍କ ପ୍ରଥମ ଉପନ୍ୟାସ ‘ନର୍ଭସ କଣ୍ଡିସନ୍‌’ ୧୯୮୮ରେ ଲଣ୍ଡନ ଓ ତା’ପରବର୍ଷ ଆମେରିକାରେ ପ୍ରକାଶିତ ହେବାରୁ ତାଙ୍କ ଖ୍ୟାତି ଦିଗବିଦିଗ ହୋଇଥିଲା। କୃଷ୍ଣକାୟ ମହିଳାଙ୍କ ଦ୍ୱାରା ଇଂଲିଶରେ ଲିଖିତ ପ୍ରଥମ ଉପନ୍ୟାସ ଭାବେ ‘ନର୍ଭସ କଣ୍ଡିସନ’ରେ ସିଟ୍‌ସିଙ୍କ ଆତ୍ମଜୀବନୀର ଆଭାସ ମିଳିଥାଏ। ଏହି ଉପନ୍ୟାସ ୨୦୧୮ରେ ବିବିସି ତାଲିକାର ଶୀର୍ଷରେ ରହି ଦୁନିଆକୁ ଏକ ସୂକ୍ଷ୍ମ ବାର୍ତ୍ତା ଦେଇଛି ଯେ, ଇଚ୍ଛା ଥିଲେ ସୁଯୋଗ ଆସିଥାଏ।
‘ନର୍ଭସ କଣ୍ଡିସନ’ ପରେ ସିଟ୍‌ସି ଆହୁରି କେତେକ ଉପନ୍ୟାସ ଲେଖିଛନ୍ତି। ତାଙ୍କର ପ୍ରତ୍ୟେକ ଲେଖାରେ ସେ ମାନବବାଦ ଓ ମଣିଷ ପ୍ରତି ଭଲ ପାଇବାର ଗୁଣକୁ ଗୁନ୍ଥି ଦେଇଥିବାରୁ ତାହା ଲୋକପ୍ରିୟତା ଅର୍ଜନ କରିଚାଲିଛି। ଅନ୍ୟପକ୍ଷରେ ଯେଉଁ ଗୋରାମାନେ ଦିନେ ତାଙ୍କୁ ଉପହାସ କରୁଥିଲେ, ସେ ଆଜି ସେମାନଙ୍କଠାରୁ ଇଂଲିଶ ସାହିତ୍ୟ ପାଇଁ ଦିଆଯାଉଥିବା ପୁରସ୍କାରକୁ ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। ଏହି ଜିଦିରେ ରହି ଜିତିବା କ’ଣ କମ୍‌ କଷ୍ଟକର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri