ଭୋଗରାଇ,୧୭ା୭(ପ୍ରଦୀପ ଦାସ): ଆମକୁ ସୁରକ୍ଷା ଦିଅ, ନଚେତ୍ ସପରିବାର ଆତ୍ମହତ୍ୟା କରିବୁ ବୋଲି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଭାଇ ସୌମ୍ୟରଞ୍ଜନ। ବୁଧବାର ରାତି ସାଢେ ୮ଟାରେ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ, ତାଙ୍କ ଭଉଣୀଙ୍କ ମୃତ୍ୟୁକୁ ନେଇ ୫ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କ ପରିବାର ଓ ମୃତା ଭଉଣୀଙ୍କ ନାମରେ ସୋସିଆଲ ମିଡିଆରେ ନାନାଦି କୁତ୍ସାରଟନା କରି ତାଙ୍କ ପରିବାରକୁ ଅପମାନିତ ଓ ବଦନାମ କରିବାକୁ ହୀନ ରାଜନୀତି କରୁଛନ୍ତି। ଆମ ପରିବାର ଏମ୍ପିଙ୍କ ସହିତ ଅର୍ଥ ଡିଲ ହୋଇଛି ବୋଲି ସୋସିଆଲ ମିଡିଆରେ ପ୍ରଚାର କରି ସରକାରଙ୍କ ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନକୁ ନିନ୍ଦିତ କରିବାର ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା ମୋ ଭଉଣୀର ପ୍ରକୃତ ଦୋଷୀଙ୍କୁ ଖସିଯିବାକୁ ଏମାନେ ଷଡଯନ୍ତ୍ର କରୁଛନ୍ତି। ଏଭଳି ସ୍ଥିତିରେ ଆମକୁ ନ୍ୟାୟ ଦେବା ଏମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ଆମ ପରିବାରକୁ ମାନସିକ ଭାରାକ୍ରାନ୍ତ କରି ଅପମାନିତ କରିବାର ପ୍ରୟାସ କରୁଥିବାରୁ ଆମକୁ ସୁରକ୍ଷା ଦିଆଯାଉ ବୋଲି ଅଭିଯୋଗରେ ଦର୍ଶଯାଇଛି। ଭୋଗରାଇ ପୋଲିସ ଏହି ଏତଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ମୃତା ଛାତ୍ରୀଙ୍କ ଭାଇ ଆଣିଥିବା ଅଭିଯୋଗରେ ଯୁବକମାନେ କେଉଁ ଅଞ୍ଚଳ ବା କେଉଁ ଗ୍ରାମର ଉଲ୍ଲେଖ କରି ନ ଥିବାରୁ ଏହାର ସତ୍ୟତାକୁ ନେଇ ପୋଲିସ ତଦନ୍ତ କରୁଛି।