ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ, ଭୟଙ୍କର ଧୂଳିଝଡ଼ ଏବଂ କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଯୋଗୁ ସମଗ୍ର ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାତ୍ର କିଛି ସମୟର ଏହି ପ୍ରାକୃତିକ ବିପର୍ଯ୍ୟୟ ବହୁ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି। ବିଶେଷ କରି ବନ୍ତ ବ୍ଲକର ବନ୍ତ, ପଧାନପଡ଼ା, ନିଳୋକ, ସେଣ୍ଡତୀରା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଙ୍ଗା, ରାମପୁର, ରାମକୃଷ୍ଣପୁର, ଗଣିଜାଙ୍ଗ, ଛୟାଳସିଂ, ଟିଲୋ, ବସନ୍ତିଆ, ରାମଚନ୍ଦ୍ରପୁର ଏବଂ ଆଡ଼ିଆ ଆଦି ପଞ୍ଚାୟତରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପବନର ବେଗ ଏତେ ତୀବ୍ର ଥିଲା ଯେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଯାଇଛି। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୁଆପଥର ମାଡ଼ ଯୋଗୁ ପନିପରିବା ଚାଷ ଏବଂ ଖରାଦିନିଆ ଫସଲ କେତେକାଂଶରେ ନଷ୍ଟ ହୋଇଯାଇଥିବା ଚାଷୀ କହିଛନ୍ତି l ଅନେକ ସ୍ଥାନରେ ଚାଳଘରର ଛପର ଉଡ଼ିଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ପଡ଼ିବାରୁ କେତେକ ଅଞ୍ଚଳ ଅନ୍ଧାରମୟ ହୋଇଯାଇଛି। କିଛି ସ୍ଥାନରେ ଟିଣ ଓ ଆଜବେଷ୍ଟସ୍‌ ଉଡ଼ିଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଧୂଳିଝଡ଼ ଯୋଗୁ ରାସ୍ତାରେ ଦୃଶ୍ୟମାନ କ୍ଷମତା କମିଯାଇଥିବାରୁ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ହଠାତ୍‌ ମାଡ଼ି ଆସିଥିବା ଏହି ବିପତ୍ତିରେ କେତେକ ଚାଷୀ ଓ ଗରିବ ଖଟିଖିଆ ଶ୍ରେଣୀର ଲୋକେ କ୍ଷତି ସହିଥିବା କୁହାଯାଉଛି। ସରକାର ଓ ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share