ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପୁର ଗ୍ରାମ କିମ୍ବଦନ୍ତୀପୂର୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ଦୀର୍ଘ ୭ ଦିନ ବ୍ୟାପୀ ଚାଲିଥିବା କଳିକଳୁଷ ନାଶନ ବିଶ୍ବଶାନ୍ତି ମହାଯଜ୍ଞର ମଙ୍ଗଳବାର ପୂର୍ଣ୍ଣାହୁତି ହୋଇ ଉଦଯାପନ ଘଟିଛି।
ବର୍ତ୍ତମାନର କଳିଯୁଗର ସମାଜଟି ସତେ ଯେପରି ଅସୁରକ୍ଷିତ ହୋଇପଡିଛି ଆଉ ଯେଉଁଭଳି ଭାବରେ ଅନ୍ୟାୟ, ଅତ୍ୟାଚାର ଓ ହିଂସାକାଣ୍ଡର ପ୍ରଭାବ ବଢିଚାଲିଛି। ଏଣୁ ଏହାର କିପରି ବିନାଶ ହେବ, ସମସ୍ତଙ୍କ ମଧ୍ୟରେ କିଭଳି ଭାଇଚାରା ସୃଷ୍ଟି ହୋଇ ଶାନ୍ତିର ବାତାବରଣ ଆସିପାରିବ। ଏହା ସମେତ ମହାମାରୀ ଭଳି କଷ୍ଚ ସମଗ୍ର ବିଶ୍ବରୁ କିପରି ଉଭେଇଯିବ। ସେଥିପାଇଁ ଏହି ଯଜ୍ଞ ଅନୁଷ୍ଟିତ ହୋଇଥିଲା । ଗ୍ରାମବାସୀ ଭଗବାନଙ୍କ ନିକଟରେ ଶରଣାପନ୍ନ ହୋଇ ପ୍ରତ୍ୟହ ନାମଯଜ୍ଞ କରିଥିଲେ। ଏହି ଯଜ୍ଞଲାଗି ସମଗ୍ର ପ୍ରତାପୁର ଗ୍ରାମରେ ଆଧାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା। ହରିବୋଲ ହୁଳହୁଳି ସାଙ୍ଗକୁ ସଙ୍କୀର୍ତ୍ତନ ଓ ପଣ୍ଡିତ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇିପଡିଥିଲା। ଏଥିରେ ମୁଖ୍ୟକର୍ତ୍ତା ଭାବେ ନରସିଂହ ମିଶ୍ର ଓ ତାଙ୍କ ପତ୍ନୀ ପ୍ରମଦା ମିଶ୍ର ରହିଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରୁ ୪୫ ଜଣ ପଣ୍ଡିତ ବ୍ରାହ୍ମଣଙ୍କ ସହ ସାଧୁସନ୍ଥ ମାନେ ଯୋଗଦେଇଥିଲେ। ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଦର୍ଶନକରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଏହାକୁ ଯଜ୍ଞ କମିଟିର ଉପଦେଷ୍ଟା ପଦ୍ମଚରଣ ପଟ୍ଟନାୟକ,ସଭାପତି ଗୌରୀଶଙ୍କର ରାଉଳ, ସୁଦର୍ଶନ ନାୟକ, ଅଜୟ ପଟ୍ଟନାୟକ, କେଦାରନାଥ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ।


