ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗାଡି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି। ସୂଚନା ପ୍ରକାରେ, ବଲାଙ୍ଗୀର ଏବଂ ବରଗଡ଼ ଜିଲାର କଳାକାରମାନଙ୍କୁ ନେଇ ମା’ ମଙ୍ଗଳା ଧନୁଯାତ୍ରା ପାର୍ଟି ଗତ ୨୨ ତାରିଖ ଦିନ ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଣ୍ଡିଗୁଡ଼ା ଯାତ୍ରା ଉତ୍ସବରେ ଧନୁଯାତ୍ରା ପରିବେଷଣ କରିବା ପାଇଁ ଯାଇଥିଲେ। ତେବେ ଆଜି ସକାଳୁ ମୁଣ୍ଡିଗୁଡ଼ାରେ ଯାତ୍ରା ସାରି ଫେରୁଥିବା ବେଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବ୍ରେକ୍‌ ଫେଲ ହୋଇ ଗାଡି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ୮ ଜଣ କଳାକାର ଛିଟ୍‌କି ହୋଇ ରାସ୍ତା ଉପରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଜଣେ ଗୁରୁତର ଥିବା ଯୋଗୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

Dharitri – The Largest & Most Trusted Odia Daily

Share
Tags: odisha