ତିର୍ତ୍ତୋଲ,୭।୫(ଡି.ଏନ.ଏ.): ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଭାବେ ଆକ୍ରମଣ କରାଯାଇଛି। ଫଳରେ ୨ ଜଣ ମହିଳା ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଏସ୍ଆଇ ନିଲମ ସୋରେନ ଏବଂ ଏଏସ୍ଆଇ ସୁଷମା ମୁଦୁଲି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏଏସ୍ଆଇ ମୁଦୁଲିଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଥାନାରେ ମାମଲା (ନଂ.୨୧୭/୨୩)ରୁଜୁ କରାଯାଇ ଶନିବାର ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଉକ୍ତ ଗ୍ରାମର ଦେବାଶିଷ ବାରିକ, ଦୀପକ ବାରିକ, ଭାଗବତ ବାରିକ, ପ୍ରସନ୍ନ ବାରିକ ଓ ଅଲେଖ ବାହାଲିଆ।
ସୂଚନା ମୁତାବକ, ଏହି ଗ୍ରାମର ଶ୍ମଶାନ ରାସ୍ତା ତିଆରି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯିବା ପରେ ଏପ୍ରିଲ ୬ ତାରିଖରେ ତହସିଲ କାର୍ଯ୍ୟାଳୟର ଅମିନ ଆସି ମାପଚୁପ କରିଥିଲେ। ଅଶୋକ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଇଥିଲା। ଏହି ରାସ୍ତାକୁ ଲାଗିଥିବା ଏକ ସରକାରୀ ଜମିରେ ଗ୍ରାମର ପ୍ରସନ୍ନ କୁମାର ଲେଙ୍କା ଚାଷକାର୍ଯ୍ୟ କରୁଥିଲେ। ମାପଚୁପ ସମୟରେ ଉକ୍ତ ଜମି ଶ୍ମଶାନ ରାସ୍ତାରେ ଚିହ୍ନଟ ହୋଇଥିଲା। ଏନେଇ ପ୍ରସନ୍ନ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ। ମାପ ସ୍ଥାନରୁ ଲୋକେ କିଛି ସମୟ ପରେ ଦୂରକୁ ଚାଲିଯିବା ପରେ ପ୍ରସନ୍ନ ଏବଂ ତାଙ୍କ ପୁଅ ଅନିଲ ମିଶି ଅଶୋକଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ଅଶୋକଙ୍କ ପରିବାର ସଦସ୍ୟ ଏନେଇ ପୋଲିସରେ ମାମଲା ରୁଜୁ କରିଥିଲେ। ଅପରପକ୍ଷେ ଏହାକୁ କେନ୍ଦ୍ର କରି ଗ୍ରାମର କେତେଜଣ ଲୋକ ଅଭିଯୁକ୍ତଙ୍କ ଘରେ ଭଙ୍ଗାରୁଜା ଓ ଜଳାପୋଡା କରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ପରଠୁ ଅଭିଯୁକ୍ତମାନେ ଫେରାର ଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ସଦଳବଳ ଶିରୋଳ ଗ୍ରାମକୁ ଯାଇଥିବାବେଳେ ସେମାନଙ୍କୁ ଆକ୍ରମଣ କରାଯାଇଛି।


