ଘାଟିରେ ସରିଗଲା ପେଟ୍ରୋଲ, ଅଟୋ ଭଡ଼ା କରି ଟାଙ୍କିକୁ ଆସିଲେ ଆଦିବାସୀ ଚାଷୀ, କହିଲେ ୨୦୦ ଟଙ୍କାର ତେଲ ପାଇଁ…

ଦାରିଙ୍ଗବାଡ଼ି,୨୮ା୭(ଅରୁଣ ସାହୁ): ରାଜ୍ୟ ସରକାର ପ୍ଲାଷ୍ଟିକ୍‌ ବୋତଲ, ଜାର୍‌ରେ ପେଟ୍ରୋଲ ଦେବାକୁ ସମସ୍ତ ପେଟ୍ରୋଲ ଟାଙ୍କିକୁ ବାରଣ କରିଛନ୍ତି। ତେବେ ଏହାକୁ ନେଇ ଦୁର୍ଗମ ଅଞ୍ଚଳର ଚାଷୀ ମୂଲିଆଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏବେ ଏକାଧିକ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ କିଏ ବାଇକ୍‌ ଟାଙ୍କି ଖୋଲି ଟାଙ୍କିରେ ପହଞ୍ଚିଲାଣି ତ ଆଉ କିଏ ଅଟୋ, ମିନିଟ୍ରକ୍‌ ଭଡ଼ା କରି ଟାଙ୍କିରେ ବାଇକ୍‌ ସମେତ ପାୱାର ଟିଲର ଆଣି ଟାଙ୍କିରେ ତେଲ ଭର୍ତ୍ତି କରିନେଉଛନ୍ତି। ଏଭଳି ଜଣେ ଆଦିବାସୀ ଚାଷୀ କୌଣସି କାର୍ଯ୍ୟରେ ଦାରିଙ୍ଗବାଡ଼ି ଆସୁଥିଲେ ତାଙ୍କ ଗ୍ରାମ ପ୍ରାୟ ୨୦ କିମି ଦୂରତାରେ ରହିଥିବା ବେଳେ ତାଙ୍କ ବାଇକ୍‌ରୁ ତେଲ ଏକ ଘାଟିରେ ସରିଯାଇଥିଲା। ସେଠାରୁ ସେ ଦାରିଙ୍ଗବାଡ଼ି ବାଇକ୍‌ ଠେଲି ଠେଲି ଆସିବା ସମ୍ଭବ ନ ଥିବାରୁ ସେ ଏକ ଅଟୋ ୨ ଶହ ଟଙ୍କାରେ ଭଡ଼ା କରି ଆଣିଲେ। ଟାଙ୍କିରେ ତାଙ୍କ ନିକଟରେ ରହିଥିବା ଆଉ ୨ ଶହ ଟଙ୍କାର ପେଟ୍ରୋଲ ଭରିଥିବା ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ପେଟ୍ରୋଲ ତାଙ୍କୁ ଲିଟର ୨ ଶହରୁ ଅଧିକ ଟଙ୍କା ଦେବାକୁ ପଡ଼ିଲା ବୋଲି ଟେକାଙ୍ଗିଆ ଗ୍ରାମର ବାଇକ ମାଲିକ ସୁମନ୍ତ ପ୍ରଧାନ ଉଦ୍‌ବେଗର ସହ କହିଛନ୍ତି।

Share