ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍-୧୯ ନମୁନାରେ ଭାଇରାଲ ଲୋଡ୍ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷଣ ଅନୁଯାୟୀ ଇନ୍ଫେକ୍ସନ ଭାଇରାଲ ଲୋଡ୍ କମିଛି। ପୂର୍ବରୁ ହାରାହାରି ସିଟି ଭ୍ୟାଲୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା। ଏବେ ଏହା ୨୮ ପାଖାପାଖି ରହୁଛି। ଜଣେ ବ୍ୟକ୍ତିର ଯଦି ସିଟି ଭାଲ୍ୟୁ ୩୫ କିମ୍ବା ତା’ଠାରୁ ଅଧିକ ରହିଲେ ତାହା କୋଭିଡ୍ ନେଗେଟିଭ୍। ଯଦି ସିଟି ଭାଲ୍ୟୁ ୩୫ରୁ କମ୍ ରହେ, ତେବେ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୁଅନ୍ତି। ସେପଟେ ତୃତୀୟ ଲହରକୁ ନେଇ ଡା. ପରିଡ଼ା କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ଼ ଲୋକଙ୍କୁ ନୁହେଁ, ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ। କିନ୍ତୁ ତୃତୀୟ ଲହର ଆସିବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋଭିଡ୍ କଟକଣା, ଟିକାକରଣ ଓ ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରିବ ବୋଲି ସେ କହିଛନ୍ତି। ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି। ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏବେ ଭାରତର ୨୮ଟି ଲାବ୍ରେ ଜିନମ ସିକ୍ୱେନ୍ସିଂ କରାଯାଉଛି। ଏହାଦ୍ୱାରା ଭାଇରସର ମ୍ୟୁଟାଣ୍ଟରେ କିପରି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କ’ଣ ହେବ ସେ ବିଷୟରେ ଜାଣିପାରିବା ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଲକ୍ଡାଉନର ସୁଫଳ ମିଳିଛି। ଯଦି ସରକାର ଅନ୍ଲକ ପ୍ରକ୍ରିୟାକୁ ଯିବେ ତେବେ ଲୋକମାନେ କଟକଣାକୁ ମାନନ୍ତୁ। ନଚେତ ପୁଣି ଥରେ ସଂକ୍ରମଣ ବଢ଼ିପାରେ। ଅନ୍ୟ ରାଜ୍ୟରେ ପର୍ଯ୍ୟାୟକ୍ରମେ ଲକ୍ଡାଉନର କଟକଣା କୋହଳ କରାଯାଇଛି। ଲୋକମାନେ ଯଦି ସହଯୋଗ କରିବେ ତେବେ କଟକଣାର ଆବଶ୍ୟକ ନାହିଁ ବୋଲି ଡା. ପରିଡ଼ା କହିଛନ୍ତି।


