ପାଟଣା,୧୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର କବାଟ ଭାଙ୍ଗି ଅକ୍ଟୋବର ୨୩ତାରିଖ ବିଳମ୍ବିତ ରାତିରେ ଠାକୁରାଣୀଙ୍କ ରୁପା ମୁକୁଟକୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ସେତେବେଳେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ବିଳମ୍ବିତ ରାତିରେ ଚୋର ଠାକୁରାଣୀଙ୍କ ଆସ୍ଥାନସ୍ଥଳରେ ରୁପା ମୁକୁଟ ରଖି ଦେଇ ଯାଇଥିବା ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।
ସୂଚନା ଯେ, ଶୁକ୍ରବାର ସକାଳୁ ଗ୍ରାମର ସଞ୍ଜୟ ସେଠୀ ଓ ଅଶୋକ ପରିଡ଼ା ଠାକୁରାଣୀଙ୍କ ଶାଳକୁ ପୂଜା ପାଇଁ ଫୁଲ ନେଇ ଯାଇଥିବା ବେଳେ ଠାକୁରାଣୀଙ୍କ ଆସ୍ଥାନ ନିକଟରେ ରୁପା ମୁକୁଟ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟକ୍ଷ ଦେବୀ ଅନ୍ଧାରୀ ଠାକୁରାଣୀଙ୍କର କୋପ ସହି ନ ପାରି ଚୋର ଚୋରି କରିନେଇଥିବା ରୁପା ମୁକୁଟକୁ ଠାକୁରାଣୀଙ୍କ ନିକଟରେ ଛାଡ଼ିଯାଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦୀପକ ରାଜ, ଗୋପବନ୍ଧୁ ବିଶ୍ୱାଳ ପ୍ରମୁଖ କହିଛନ୍ତି।
ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ହୃଦାନନ୍ଦ ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ। ମୁକୁଟ ଟିର ଓଜନ ୧କିଲୋରୁ ଊଦ୍ଧର୍ବ ହେବ। ଏନେଇ ପାଟଣା ଥାନାରେ ୨୫୬/୨୫ ମାମଲା ରୁଜୁ ହୋଇ ତଦନ୍ତ ହେଉଥିଲା।