ସାମାଜିକ ପ୍ରାଣୀ ଭାବରେ ମଣିଷ କେବଳ ମଣିଷକୁ ପ୍ରେମ କରେନି, ବରଂ ପଶୁପକ୍ଷୀ, ପ୍ରକୃତି ଓ ପ୍ରକୃତିଦତ୍ତ ସଜୀବ ଓ ନିର୍ଜୀବ ସବୁ ବସ୍ତୁକୁ ଭଲ ପାଇଥାଏ। ଏହି ପ୍ରେମ ଓ ପ୍ରୀତିର ବନ୍ଧନ ମଣିଷର ସାମାଜିକ ସମ୍ପର୍କକୁ ଦୃଢ଼ କରିବା ସହିତ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନରେ ସହାୟକ ହୋଇଥାଏ। ତେବେ ସମ୍ପ୍ରତି ମଣିଷ ହେଉ କି ପ୍ରକୃତି କାହା ପ୍ରତି ମଣିଷ ମନରେ ପୂର୍ବର ସେ ପ୍ରେମ, ଅନୁରାଗ କିମ୍ବା ଭଲପାଇବା ନାହିଁ। ଦୟା, କ୍ଷମା ଓ ପରୋପକାର ଭଳି ଗୁଣ ତା’ ଠାରୁ ଉଭେଇ ଗଲାଣି। ଫଳରେ ସମାଜରେ ସର୍ବତ୍ର ଅଶାନ୍ତି ଓ ଅରାଜକତା ବ୍ୟାପିବାରେ ଲାଗିଛି। ସାମାଜିକ କ୍ଷେତ୍ରରେ ଚରମ ବିପର୍ଯ୍ୟୟ ଦେଖାଦେଇଛି। ହିଂସା, ଯୁଦ୍ଧ ଓ ରକ୍ତପାତ ସଂଗଠିତ ହୋଇ କେତେ କେତେ ଅମୂଲ୍ୟ ଜୀବନ ଅକାଳରେ ଝରିପଡୁଛି। ଏହା ସାଙ୍ଗକୁ ଦାଉ ସାଧୁଛି ପ୍ରକୃତିର କୋପ। ପ୍ରାକୃତିକ ବିପର୍ଯ୍ୟୟମାନ ଘଟି ଧନ ଜୀବନ ହାନି ହେଉଛି। ଆଜିକାଲି ଘରେ ଘରେ ପୂଜାପାଠ ହେଉଛି। ଲୋକେ ମନ୍ଦିର ଯାଉଛନ୍ତି। ଉପାସ ବ୍ରତ ବି କରୁଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନ ଆୟୋଜିତ ହେଉଛି। ହେଲେ ସେସବୁରେ ସାମାନ୍ୟ ଭକ୍ତି କି ଆନ୍ତରିକତା ନାହିଁ। ସବୁକିଛି କେବଳ ଲୋକଦେଖାଣିଆ ଭାବେ କରାଯାଉଛି। ଦିନକୁ ଦିନ ମଣିଷ ମନରୁ ଆସ୍ଥା ଓ ବିଶ୍ୱାସ ତୁଟି ଯାଉଛି। ଏହାର ପରିଣାମ ହେଉଛି ମଣିଷ ଅଶାନ୍ତି ଓ ନୈରାଶ୍ୟରେ ଜୀବନ ଅତିବାହିତ କରୁଛି। ପରସ୍ପର ପ୍ରତି ଗୋଟେ କୃତ୍ରିମ ତଥା ଛଳନାପୂର୍ଣ୍ଣ ସମ୍ପର୍କରେ ଯେମିତି ବାନ୍ଧି ହୋଇଛନ୍ତି ସମସ୍ତେ।
ଗାଁର ମାଟି ପାଣି ପବନରେ ବଢ଼ିଥିବା, ଗାଁ ସ୍କୁଲରେ ପଢ଼ିଥିବା ଅନେକ ଲୋକ ବିଭିନ୍ନ ପଦପଦବୀରେ ରହି ସହରରେ ଘରଦ୍ୱାର କରି ରହିଗଲେଣି। ଗାଁକୁ ଆସିବାକୁ ସେମାନେ ନାରାଜ। ସେମାନଙ୍କ ଭିତରେ ଗାଁ ପ୍ରୀତି ନାହିଁ। ଗାଁକୁ ଆସିବାକୁ ସେମାନଙ୍କ ପାଖେ ସମୟ ନାହିଁ। ଅନୁରୂପ ଭାବେ ବର୍ତ୍ତମାନ ପିଢ଼ିର ପିଲାଙ୍କ ଭିତରେ ଗାଁ ପ୍ରୀତି ହ୍ରାସ ପାଇବାରେ ଲାଗିଛି। ବାହାରେ ପାଠପଢ଼ା ଓ ପୁଣି ସେଇଠି ଚାକିରି। ଯୁବଗୋଷ୍ଠୀ ଏବେ ଗଁା ଓ ଗଁାର ମଣିଷଙ୍କୁ ଗ୍ରହଣ କରିବାକୁ ନାରାଜ। ପରିବାରଗୁଡ଼ିକ ଭିତରେ ପାରସ୍ପରିକ ପ୍ରୀତି ଓ ବୁଝାମଣା ନାହିଁ। ସ୍ବାମୀ ସ୍ତ୍ରୀ, ବାପପୁଅ ଓ ଭାଇ ଭଉଣୀଙ୍କ ମଧ୍ୟରେ ପୂର୍ବର ସେ ପ୍ରୀତିଭରା ସମ୍ପର୍କ ନାହିଁ। ମାତାପିତାଙ୍କ ତ୍ୟାଗ ଓ ଅବଦାନକୁ ପିଲାମାନେ ଭୁଲି ଯାଉଛନ୍ତି। ମାତାପିତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଓ ତପସ୍ୟା ଆଜି ମୂଲ୍ୟହୀନ ସାବ୍ୟସ୍ତ ହେଉଛି। ଆବଶ୍ୟକ ସେବା ଯତ୍ନ ଅଭାବରୁ ଅନେକ ମାତାପିତା ଏବେ ରୋଗ ଶୋକର ଘନଘଟା ମଧ୍ୟରେ କାଳ କାଟୁଛନ୍ତି। ପରିଣତ ବୟସରେ ପାଦ ଥାପିଥିବା ଅନେକ ମାତାପିତା ସେମାନଙ୍କ ପିଲାଙ୍କ ଦ୍ୱାରା ନାନାଭାବେ ନିର୍ଯାତିତ ଓ ଉପେକ୍ଷିତ ହୋଇ କେଉଁ ମଠ, ମନ୍ଦିର ନଚେତ ଜରାନିବାସରେ ଦିନ କାଟୁଛନ୍ତି। ଗୋଟେ ପଟେ ଶାରୀରିକ ପୀଡ଼ା ଓ ଅନ୍ୟପଟେ ପିଲାଙ୍କ ଗଞ୍ଜଣାରେ ଛଟପଟ ହେବା ଛଡ଼ା ସେମାନଙ୍କ ପାଖରେ ଉପାୟ କିଛି ନାହିଁ। ଆଜିକାଲି ତ ପୁଣି କେହି କେହି ପୁତ୍ର କନ୍ୟା ନିଜର ଈପ୍ସିତ ସ୍ବାର୍ଥ ସାଧନ ଲାଗି ମାତାପିତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବାକୁ ପଛାଉ ନାହାନ୍ତି। ଅଧିକାଂଶ ପରିବାରରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହୁନି। ସେମାନଙ୍କ ଭିତରେ ଥିବା ପ୍ରୀତିର ବନ୍ଧନ ହୁଗୁଳା ହେବାରେ ଲାଗିଛି। ରାଜନୀତିରେ ଆଜିକାଲି ଅଧିକାଂଶ ସୁବିଧାବାଦୀ ନେତାଙ୍କର ନିଜ କର୍ମୀ, ଦଳ ଓ ଦଳର ନେତା ତଥା ନିଜ ଅଞ୍ଚଳ ପ୍ରତି ଆନ୍ତରିକ ପ୍ରୀତି ଜାଗ୍ରତ ହେଉନି। କେବଳ ଆପଣା ସ୍ବାର୍ଥ ସାଧନରେ ବ୍ୟସ୍ତ ସେମାନେ। ଭୋଟ ବେଳେ କ୍ଷଣିକ ପ୍ରୀତିରେ ବାନ୍ଧି ଦେଇ ଭୋଟ ହାସଲ କରିନେବା ପରେ କିଏ କାହାର। କର୍ମୀଙ୍କ ସମସ୍ୟା ସମାଧାନ ହୁଏନି କି ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରେନି। ଫଳରେ ଏଭଳି ନେତାଙ୍କୁ ଶେଷରେ ନିଜ ଦଳ ଓ ସାଧାରଣ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାକୁ ପଡୁଛି। ଅପରପକ୍ଷେ ଅଧିକାଂଶ ଲୋକଙ୍କ ମନ ଭିତରେ ନିଜ ଦେଶ, ନିଜ ପ୍ରଦେଶ ସହିତ ନିଜର ମାଟି, ଭାଷା, ସାହିତ୍ୟ, ଧର୍ମ, ସଂସ୍କୃତି, ଓ ପରମ୍ପରା ଆଦି ପ୍ରତି ପ୍ରେମ ଓ ପ୍ରୀତିର ଅଭାବ ରହିଛି। ଯାହା ଆମ ମାନ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହିତ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛି। ତେଣୁ ଆସନ୍ତୁ ପ୍ରୀତି ଦଂଶନର ଜ୍ୱାଳାରେ ଛଟପଟ ହେବା ଅପେକ୍ଷା ପ୍ରେମ ଓ ପ୍ରୀତି ବନ୍ଧନରେ ବାନ୍ଧିହୋଇ ପରସ୍ପରକୁ ଆପଣାର କରିନେବା।
ମୋ :୯୯୩୭୫୬୫୫୨୭

