ନବୀନଙ୍କ ପାଇଁ ହ୍ୟୁମାନ ଗାଇଥିବା ଗୀତ ଏବେ ବି ଜୀବନ୍ତ, ମୃତ୍ୟୁ ଖବର ଶୁଣି ଭାଙ୍ଗିଗଲା ନବୀନଙ୍କ ହୃଦୟ…

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହ୍ୟୁମାନଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ହ୍ୟୁମାନଙ୍କ ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ହ୍ୟୁମାନ ସାଗର ବିଜେଡି ପାଇଁ ‘ହେ ନବୀନ ବାବୁ…’ ଗୀତ ଗାଇଥିଲେ।

ହ୍ୟୁମାନ ସାଗର କିଛି ଦିନ ହେବ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲେ। ସେ ଲିଭର୍ ଏବଂ କିଡନୀ ଜନିତ ଗୁରୁତର ରୋଗ ସହ ନିମୋନିଆ, ହେପାଟୋପାଥି, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ଏବଂ ସେ ଭେଣ୍ଟିଲେଟର୍‌ରେ ଥିଲେ। ତାଙ୍କ ଚିକିତ୍ସା ପାଇଁ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ସହାୟତା ନିବେଦନ କରାଯାଇଥିଲା।

ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ଅନେକ ରୋମାଣ୍ଟିକ ଗୀତ ଗାଇ ସେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Share