କେସିଙ୍ଗା,୨୧।୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୦୪ ମସିହାରେ ସ୍ଥାପିତ ହୋଇଛି। ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଏହି ବିଦ୍ୟାଳୟରେ ପାନୀୟଜଳର ଘୋର ସମସ୍ୟା ଦେଖା ଦେଇଛି। ୨୦୧୭ ମସିହାରେ କିକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏଠାରେ ସୋଲାର ପାଣି ଟାଙ୍କି ସ୍ଥାପନ କରାଯାଇଥିଲା। କିନ୍ତୁ ଆଜକୁ ୬ ମାସ ହେଲାଣି ସୋଲାର ଟାଙ୍କି ଅଚଳ ହୋଇଯାଇଛି। ଫଳରେ ଉକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ୬ଷ୍ଠ, ୭ମଓ ୮ମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିବା ପାଇଁ ପାନୀୟଜଳ ନ ଥିବାରୁ ନିକସ୍ଥ ହାଇ ସ୍କୁଲରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ଏହି ବିଦ୍ୟାଳୟର ପରସରରେ ବିଭିନ୍ନ ବଗିଚା ରହିଛି। ହେଲେ ପାଣିର ଅଭାବରୁ ଗଛ ଗୁଡିକ ମରିବାକୁ ବସିଲାଣି। ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ପାଣି ଅଭାବରେ ଗଛଗୁଡ଼ିକ ମରିବାକୁ ବସିଲାଣି। ଏଥିପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ,ବିଡିଓଙ୍କୁ ବହୁବାର ସ୍କୁଲ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନାହାନ୍ତି। ଏ ସଂକ୍ରାନ୍ତରେ କିକିଆ ଗ୍ରାମପଞ୍ଚାୟତର ସରପଞ୍ଚ କିଶୋର ପ୍ରଧାନଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ସୋଲାର ପାଣି ଟାଙ୍କିର ମରାମତି କରିବି ବୋଲି ପ୍ରକାଶ କରଛନ୍ତି।

