ଚାଲିଚାଲି ଯାଉଥିଲେ ନାବାଳିକା, ଉପରୁ ଖସିଲା ନିର୍ମାଣାଧୀନ ବ୍ରିଜ୍‌ ସ୍ଲାବ୍‌, ଆଉ ତା’ ପରେ…

ଭଦ୍ରକ,୫ା୧୦(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ପ୍ରୋଟେକ୍ସନ ସ୍ଲାବ୍‌ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ ଜାଳିଦେବା ସହ ରାଜପଥ ଅବରୋଧ କରିଛନ୍ତି l ଘଟଣାସ୍ଥଳରେ ଧାମନଗର ପୋଲିସ ମୁତୟନ ରହିଛି l ସୂଚନା ମୁତାବକ ବହୁଦରଡ଼ା ପଞ୍ଚାୟତ ବେନ୍ତାଳିଆ ଗ୍ରାମର ଭଜଗୋବିନ୍ଦ ମଳିକଙ୍କ ୭ ବର୍ଷର ଝିଅ ରବିବାର ଅପରାହ୍ନରେ ସେହି ରାସ୍ତା ପାର୍ଶରେ ଚାଲି ଚାଲି ଆସୁଥିଲେ। ରାଜପଥ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେହି ସମୟରେ ଏକ ପ୍ରୋଟେକ୍ସନ ସ୍ଲାବ୍‌ ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସ୍ଲାବ୍‌ରେ ଚାପି ହୋଇ ନାବାଳିକାର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି l ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

Share