ଘଣ୍ଟାଏ ବର୍ଷାରେ ଅବସ୍ଥା ବେହାଲ, ସାହିସାହିରେ କୁଢ଼କୁଢ଼ ଅଳିଆ ଆବର୍ଜନା

ଗଜପତି,୨୧ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ସଦରମହକୁମାରେ ଘଣ୍ଟାଏ ବର୍ଷାରେ ରାୟଗଡ଼ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାହିଗୁଡ଼ିକର ଡ୍ରେନ୍‌ ସବୁ ପୋତି ହୋଇ ଯାଇଥିବାରୁ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କୁଢ଼କୁଢ଼ ଅଳିଆ ଆବର୍ଜନା ଭାସି ଆସି ଲୋକଙ୍କ ଘର ଭିତରେ ପଶିଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ହେଣ୍ଡିଆ ସାହିର ଉପର ମୁଣ୍ଡରେ କେତେକଙ୍କ ଘର ସମ୍ମୁଖରେ କୁତ୍ରିମ ବନ୍ୟା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରକାଶ ଯେ, ରାୟଗଡ଼ ବ୍ଲକ ସଦରମହକୁମାରେ ଥିବା ସାହିଗୁଡ଼ିକରେ ଦୀର୍ଘ ବର୍ଷ ହେବ ଡ୍ରେନେଜ୍‌ ସଫା ହେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଫଳରେ ଟିକିଏ ବର୍ଷାରେ ହେଲେ ରାୟଗଡ଼ ଅବସ୍ଥା ଶୋଚନୀୟ ହୋଇପଡୁଛି। ଯାହା ଫଳରେ ମୁଖ୍ୟ ରାସ୍ତା, ବଜାର ଛକ, ବିଷୋୟୀ ସାହି, ଓଡ଼ିଆ ସାହି, ବଢ଼େଇ ସାହି, ଖ୍ରୀଷ୍ଟିୟାନ ସାହି ଆଦିରେ ଡ୍ରେନେଜ ସଫା ନ ହୋଇ ପୋତି ହୋଇଯାଇଛି। ଫଳରେ ଡ୍ରେନେଜ ପାଣି ରାସ୍ତା ଉପରେ ଚାଲୁଥିବା ବେଳେ ସାହିଗୁଡ଼ିକରେ ଅଳିଆ ଆବର୍ଜନା ସହ ଘର ଭିତରେ ପାଣି ପଶି ଗନ୍ଧମୟ ହୋଇ ଯାଉଥିବା ଜଣାପଡ଼ିଛି। ଏହା ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ି ଲୋକଙ୍କୁ ଶାନ୍ତିରେ ଶୁଆଇ ବସାଇ ଦେଉନାହାନ୍ତି। ବ୍ଲକ ସଦରମହକୁମା ହୋଇଥିବାରୁ ବିଭାଗୀୟ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଦାବି ହେଉଛି I ଏନେଇ ପିଇଓ ସନ୍ତୋଷ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ରାୟଗଡ଼ ପରିମଳ ବ୍ୟବସ୍ଥା ଉପରେ କିପରି ସୁଧାର ଅଣାଯାଇପାରିବ ସେ ନେଇ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି।

Share
Tags: heavy rain