ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଜିଲାର ସଦର ମହକୁମା। ଏଠାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପୋଲିସ ସମେତ ସବୁ ବିଭାଗର ଜିଲା ମୁଖ୍ୟାଳୟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସେହିପରି ସବୁ ବିଭାଗର ଅଧିକାଂଶ ଜିଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ହିଁ ହୋଇଥାଏ। କେବଳ ସେତିକି ନୁହେଁ, ଶାସକ, ବିରୋଧୀ କିମ୍ବା କୌଣସି ରାଜନୈତିକ ଦଳ ଯଦି ବଡ଼ କାର୍ଯ୍ୟକ୍ରମ ମଧ୍ୟ ବରଗଡ଼ ସହରରେ ହୋଇଥାଏ। ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଦଳର ମୁଖିଆ ଏଠାକୁ ପହଞ୍ଚିଥାନ୍ତି। ଶାସକ ଦଳର ନେତା, ମନ୍ତ୍ରୀ ଏଠାରେ ବିକାଶର ରିପୋର୍ଟ କାର୍ଡ ପଢୁଥିବାବେଳେ ବିରୋଧୀ ଶାସକଦଳର ଅପାରଗତାକୁ ସମାଲୋଚନା କରିଥାନ୍ତି। କିନ୍ତୁ ଜିଲାର ଉପାନ୍ତ ଅଞ୍ଚଳ ଭଳି ଏଠାରେ ମଧ୍ୟ ବହୁବିଧ ସମସ୍ୟା ରହିଛି। ମାତ୍ର ଉଭୟ ଶାସକ ଏବଂ ବିରୋଧୀ ସେଥିପ୍ରତି ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ବର୍ତ୍ତମାନ ସହର ମଧ୍ୟରେ ରହିଥିବା ରାସ୍ତାଗୁଡ଼ିକର ଦୁରବସ୍ଥାରୁ ତାହା ଜଳଜଳ ହୋଇଛି। ସହରର ଯେଉଁ ରାସ୍ତାକୁ ଦେଖିଲେ, ସେହି ରାସ୍ତା ଖାଲଖମାରେ ପୂରି ରହିଛି। ସାମାନ୍ୟ ବର୍ଷାରେ କେଉଁଠି ରାସ୍ତାରୁ ପିଚୁ ଉଠି ଯାଇଛି ତ ଆଉ କେଉଁଠାରେ ପାଣି ଜମି ରହିଛି। କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି, ଶାସକ ଦଳର ନେତାଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀଙ୍କ ଦୃଷ୍ଟିରେ ମଧ୍ୟ ତାହା ପଡୁଛି। ହେଲେ ରାସ୍ତା ଦୁରବସ୍ଥା ଯେଉଁ ତିମିରେକୁ ସେହି ତିମିରେ ରହି ଯାଉଛି। ବିରୋଧୀ ଦଳ ମଧ୍ୟ ସେଥିପ୍ରତି ନୀରବ ରହିଛନ୍ତି। ଅନ୍ୟପଟେ ଉଭୟ ଶାସକ, ବିରୋଧୀ ଦଳ ଏବଂ ପ୍ରଶାସନର ସେଭଳି ଅପାରଗତା ପରେ ଅଞ୍ଚଳର ସ୍ବେଚ୍ଛାସେବୀମାନେ ଅର୍ଥ, ଶ୍ରମଦାନ କରି ସହର ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି।
ତେବେ ସହରରେ ରହିଥିବା ରାସ୍ତାଗୁଡ଼ିକର ମରାମତି କିମ୍ବା ନବୀକରଣ ପାଇଁ ସରକାର ଅନୁଦାନ ଯୋଗାଉ ନାହାନ୍ତି, ତାହା ନୁହେଁ। ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟକରଣ ଏବଂ ମରାମତି ପାଇଁ କୋଟିକୋଟି ଟଙ୍କା ଅନୁଦାନ ଆସୁଛି। ମାତ୍ର ତା’ର ଠିକ୍ ବିନିଯୋଗ ହୋଇପାରୁ ନାହିଁ। ଫଳରେ ସହର ମଧ୍ୟରେ ରହିଥିବା ରାସ୍ତାଗୁଡ଼ିକ ସେଭଳି ଦୁରବସ୍ଥାରେ ରହି ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସେହିପରି ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟୀକରଣ ଏବଂ ମରାମତି କରାଯାଉ ନାହିଁ, ତାହା ନୁହେଁ, ଚିରାଚରିତ ଢଙ୍ଗରେ ତାହା ଚାଲିଛି। କିନ୍ତୁ ତାହା ନିମ୍ନମାନର ହେଉଥିବା ଯୋଗୁ ସହରବାସୀଙ୍କୁ ତା’ର ସୁଫଳ ଅପହଞ୍ଚ ହୋଇପଡୁଥିବା ଅଭିଯୋଗ ହୋଇଛି। ତେବେ ନିମ୍ନମାନର କାମ ଯୋଗୁ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି କାମଗୁଡ଼ିକର କାର୍ଯ୍ୟାଦେଶ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ କିଛି ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ସେମାନଙ୍କ ଖାସ୍ ଲୋକଙ୍କୁ ଦେଉଛନ୍ତି। ଏଭଳି କାମରେ ପିସି କାରବାର ମଧ୍ୟ ଚାଲିଛି। ସେହି କାରଣରୁ ହିଁ ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟକରଣ ଏବଂ ମରାମତିର ଅଳ୍ପଦିନ ମଧ୍ୟରେ ରାସ୍ତାଗୁଡ଼ିକ ପୁଣି ଶୋଚନୀୟ ହୋଇପଡୁଥିବା ସହରବାସୀ ଅଭିଯୋଗ କରୁଥିବାବେଳେ ସରକାର ପରିବର୍ତ୍ତନ ପରେ ମଧ୍ୟ ଜିଲା ସଦର ମହକୁମା ତଥା ବରଗଡ଼ ସହର ରାସ୍ତାର ଏଭଳି ଦୁରବସ୍ଥା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ସଦର ମହକୁମା ରାସ୍ତା ଯଦି ଏଭଳି ଖାଲଖମାରେ ପୂରି ରହିଛି, ଜିଲାର ଅନ୍ୟଆଡ଼େ ରାସ୍ତା ମରାମତି, ନବୀକରଣ ନାମରେ କିଭଳି ଅନିୟମିତତା ଚାଲିଥିବ, ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚିତ ହେଉଛି।