ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ରବି ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ବନ୍ୟଜନ୍ତୁ ଦାଉ ସାଧିଛନ୍ତି। ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡ଼ା ପଞ୍ଚାୟତ ଅନ୍ତର୍ଗତ ବାଇପାଲି ଗ୍ରାମର ଜଣେ ଚାଷୀ ମହେନ୍ଦ୍ର ପ୍ରଧାନ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରବି ଫସଲ ପାଇଁ ସେ ଜମିରେ ବୁଣିଥିବା ଧାନକୁ ବାର୍‌ହା ଖାଇ ନଷ୍ଟ କରି ଦେଇଛନ୍ତି। ବନ୍ୟଜନ୍ତୁଙ୍କ ଦ୍ୱାରା ହୋଇଥିବା ଏଭଳି କ୍ଷୟକ୍ଷତି ପରେ ସମ୍ପୃକ୍ତ ଚାଷୀ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ପ୍ରଭାବିତ ଫସଲ ବୁଲି ଦେଖିଛନ୍ତି।
ସୂଚନା ଅନୁଯାୟୀ, ଚାଷୀ ମହେନ୍ଦ୍ର ରବି ଧାନଚାଷ ପାଇଁ ପ୍ରାୟ ଅଧ ଏକର ଜମିରେ ଧାନ ବିହନ ବୁଣିଥିଲେ। ଗତ ପ୍ରାୟ ୧୦ଦିନ ହେଲା ସେ ଧାନ ବିହନ ବୁଣିଥିଲେ ଏବଂ ଧାନଗଛ ମଧ୍ୟ ବାହାରି ଆସିଥିଲା। ଧାନପହ୍ଲା ହୋଇଥିଲେ ସେ ନିଜର ୧୦/୧୨ ଏକର ଜମିରେ ତାହା ରୋଇବା ପାଇଁ ଆଶା ବାନ୍ଧିଥିଲେ। ମାତ୍ର ଶନିବାର ରାତିରେ ଧାନ ବିହନ ବୁଣିଥିବା କିଆରିକୁ ବାର୍‌ହା ପଶିଥିଲେ। ଜମିରେ ବୁଣିଥିବା ଧାନ ସବୁକୁ ବାର୍‌ହା ଖାଇ ଦେଇଥିବା ବେଳେ ଧାନପହ୍ଲା କିଆରି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ରବିବାର ସକାଳେ ଧାନପହ୍ଲା କିଆରିକୁ ଯାଇ ତାହା ଦେଖିବା ପରେ ମହେନ୍ଦ୍ର ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ପରେ ସେ ଜମିରେ ଧାନପହ୍ଲା ରୋଇଥାନ୍ତେ। ଅନ୍ୟପଟେ ଏବେ ପୁଣି ଧାନପହ୍ଲା ପାଇଁ ବିହନ ବୁଣିଲେ ଧାନ ରୋଇବା ସମ୍ପୃକ୍ତ ଚାଷୀଙ୍କ ପାଇଁ ବିଳମ୍ବ ହେବ। ସେହିପରି ଏବେ କେଉଁଠୁ ଓ କାହାଠାରୁ ଧାନପହ୍ଲା ଆଣି ନିଜ ଜମିରେ ରୋଇବେ, ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେହି ଚିନ୍ତା ଘାରିଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଅଞ୍ଚଳର ଅନେକ ଚାଷୀ ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily