କାର୍ତ୍ତିକରେ ରୋଷେଇ ଘରେ ଝଡ ସୃଷ୍ଟି କରିଛି ଦରଦାମ: ଜୀବନ ଜୀବିକା ପ୍ରଭାବିତ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କାର୍ତ୍ତିକ ମାସରେ ବଜାର ଦର ରୋଷେଇ ଘରେ ଝଡ ସୃଷ୍ଟି କରିଛି। ସବୁ ଜିନିଷର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି। ଖାଇବା ତେଲ, ଡାଲି, ପିଆଜ, ଦର ନିୟନ୍ତ୍ରଣ ହରାଇଛି। ଏଥିପାଇଁ ଶାସକ, ପ୍ରଶାସକ ଓ ବିରୋଧୀଙ୍କ ମଧ୍ୟରେ କୌଣସି ଯୋଜନା ନାହିଁ। ଗତ ୩ ମାସ ମଧ୍ୟରେ ଲଗାଣ ବର୍ଷା ଓ ଲଗାତର ବନ୍ୟା ଯୋଗୁ ସବୁବର୍ଗ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ମହଙ୍ଗା ମାଡ଼ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁରର ମମତା ପାଢ଼ୀ କହିଛନ୍ତି, ଏବେ କାର୍ତ୍ତିକ ମାସ ଚାଲିଛି। ସବୁଠି ନିରାମିଷ ଭୋଜନ ପ୍ରସ୍ତୁତ ହେଉଛି। ତେବେ ରୋଷେଇ ପାଇଁ ପନିପରିବା ସହିତ ତାଳ ଦେଇ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି। ସୋରିଷ ତେଲ, ପାମୋଲିନ, ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦୦ ଟଙ୍କା ପାଖାପାଖି ଅଛି। ହରଡ, ମୁଗ ଆଦି ଡାଲି ୧୦୦ ପାର ହୋଇଥିବା ବେଳେ ଜିରା, ସୋରିଷ, ସୁଜି ଓ ବେସନ ଆଦିର ଦର ଅହେତୁକ ଭାବେ ବଢ଼ିଚାଲିଛି। ମହରଗରେ ଖାଉଟିଙ୍କୁ ଭେଜାଲ ପଦାର୍ଥ ପ୍ୟାକେଟରେ ମିଳୁଛି। ଖାଉଟି ବଜାର ଏବେ ବେଲଗାମ ହୋଇଛି ବୋଲି ସେ ମତ ଦେଇଛନ୍ତି। ଗୋପ ହାଟର ପରିବା ବ୍ୟବସାୟୀ ସାଧୁ ଚରଣ ଦାସ କହିଛନ୍ତି, ବର୍ଷା ସିଜନ ପରେ ପରିବା ଦର ସାଧାରଣରେ ବଢ଼ିଥାଏ। ତେବେ ଚଳିତବର୍ଷ ବଜାର ଦର ଅତ୍ୟଧିକ ହୋଇଛି। ଗତ ମାସକ ପୂର୍ବେ ଟମାଟୋ କେଜି ପ୍ରତି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୦ ଟଙ୍କାରୁ କମ୍‌ରେ ବିକ୍ରି କରି ହେଉନାହିଁ। ସେହିପରି ଭେଣ୍ଡି, ଜହ୍ନି କେଜି ପ୍ରତି ୮୦ଟଙ୍କା ରହିଛି। ଆଳୁ, ପିଆଜ, ବିନ୍‌ସ ଓ ଝୁଡଙ୍ଗ ଆଦିର ମୂଲ୍ୟ ଅଧିକ ରହିଛି। ଏହାର କାରଣ ସ୍ଥାନୀୟ ଅଞ୍ଚଳରେ ଏହାର ଉପତ୍ାଦନ ନାହିଁ। ବାହାରୁ ଆମଦାନୀ ହେଉଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଛି। କେନ୍ଦ୍ରାପଡ଼ା ଜିଲାରେ ପ୍ରତି ସିଜନ ପାଇଁ ପନିପରିବା ଉପତ୍ାଦ ଆଶାନୁରୂପକ ହେଉନାହିଁ। ଫସଲ ଅମଳ ସମୟରେ ଅଭାବୀ ବିକ୍ରି ହେଉଛି। ଜିଲାରେ ଶୀତଳଭଣ୍ଡାର ଅଭାବରୁ ବିଭିନ୍ନ ଋତୁର ଉପତ୍ାଦକୁ ସଂରକ୍ଷିତ କରାଯାଇ ପାରୁନାହିଁ। ଜିଲା ବାହାରୁ ପନିପରିବା ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଛି। ଅନ୍ୟତମ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି, ପନିପରିବା ପାଇଁ ବରଗଡ଼, ନୟାଗଡ଼ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରାଯାଉଛି। ଯାନବାହନରେ ପରିବାଠାରୁ ରାଶନ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସ୍ଥାନାନ୍ତର, ବାଣିଜି୍ୟକ କାରବାର, ତୈଳ ଦର ବୃଦ୍ଧି ଆଦିର ପ୍ରଭାବ ସିଧାସଳଖ ବଜାର ଓ ଖାଉଟିଙ୍କ ଉପରେ ପକାଉଛି। ଠାକୁରପାଟଣାର ସୁରେନ୍ଦ୍ର ବେହେରା କହିଛନ୍ତି, ଖାଉଟି ସାମଗ୍ରୀ ଦର ବୃଦ୍ଧି ସହ ଏବେ ବିଜୁଳି ବିଭାଗ ଉପରେ ସରକାର ନିୟନ୍ତ୍ରଣ ହରାଇଛନ୍ତି। ବିଜୁଳି ଦର ଅହେତୁକ ବୃଦ୍ଧି ହୋଇଥିଲେ ମଧ୍ୟ ଦୈନିକ ବିଦ୍ୟୁତ୍‌ କାଟ ଅଧିକ ହେଉଛି। ଫଳରେ ଚାଷୀ ପାଣି ମୋଟର ଚଳାଇ ଚାଷ କାର୍ଯ୍ୟ କରୁଛନ୍ତି। ଯାହାଦ୍ୱାରା ଉପତ୍ାଦ ସାମଗ୍ରୀର ଦରବୃଦ୍ଧି ହେବା ସ୍ବାଭାବିକ କଥା। ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ କରିବାକୁ ସେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share
Tags: vegetables