ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦ ତାରିଖରୁ ସମଗ୍ର ଗଞ୍ଜାମ ଜିଲାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯିବାର ଆଶଙ୍କା ଦେଖାଦେଇଛି। ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ଘରୋଇ ବସ୍‌ମାଲିକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବେଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କନକେଶ୍ବରୀ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି ଅଧ୍ୟକ୍ଷତା କରିଥିଲେ।

ବେନିୟମ ଭାବେ ଲକ୍ଷ୍ମୀ ବସ୍‌ ତଥା ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ବସ୍‌ଗୁଡ଼ିକ ଚଳାଚଳ କରୁଛି। ଯାହାଫଳରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସହିବା ସହିତ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ତେଣୁ ଲକ୍ଷ୍ମୀ ବସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ କରାଯିବା ନେଇ ଘରୋଇ ବସ୍‌ ମାଲିକ ସଂଘ ଡାକରା ଦେଇଛି। ଏପରିକି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବସ୍‌ ମାଲିକମାନେ ଅନଶନ କରିବା ନେଇ ଚେତାବନୀ ଦେଇଛନ୍ତି।

ବସ୍‌ ମାଲିକମାନେ ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ସହ ଅଭିଯୋଗ କରିଛନ୍ତି ଯେ, ଲକ୍ଷ୍ମୀ ବସ୍‌ କୌଣସି ନୀତି ନିୟମ ପ୍ରକାରେ ଚଳାଚଳ ନ କରି ନିଜ ଇଚ୍ଛା ମୁତାବକ ଭାବରେ ଚଳାଚଳ କରୁଛି। ସମସ୍ତ ଗାଡ଼ି ଚଳାଚଳ କରିବା ପାଇଁ ସେ ପରିବହନ ବିଭାଗର ନିୟମାନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ,ରୁଟ୍‌ ରହିଥିବାବେଳେ ଲକ୍ଷ୍ମୀ ବସ୍‌ କୌଣସି ସମୟ ରୁଟ୍‌ ପ୍ରକାରେ ଚଳାଚଳ କରୁନାହିଁ। ପଞ୍ଚାୟତ ହେଡ୍‌କ୍ବାର୍ଟରଠାରୁ ବ୍ଲକ ହେଡ୍‌କ୍ବାଟରକୁ ଲକ୍ଷ୍ମୀ ବସ୍‌ ଚଳାଚଳର ନିୟମ ରହିଥିବା ବେଳେ ତାହାକୁ ଉଲ୍ଲଙ୍ଘନ କରି ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ଚଳାଚଳ କରୁଛି। ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ଓ ଶୃଙ୍ଖଳାର ସହ ଯେପରି ଉଭୟ ଲକ୍ଷ୍ମୀ ବସ୍‌ ଓ ଘରୋଇ ବସ୍‌ ଚଳାଚଳ କରିବ ସେଥିଲାଗି ବିଡିଓ, ତହସିଲଦାର, ଥାନାଧିକାରୀ ପ୍ରମୁଖ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଧାରଣ ହୋଇଥିବା ରୁଟ୍‌,ସମୟ ସାରଣୀର ନିୟମକୁ ଲକ୍ଷ୍ମୀ ବସ୍‌ କର୍ମଚାରୀମାନେ ମାନୁ ନାହାନ୍ତି କି ପ୍ରଶାସନର ନର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ବସ୍‌ ଚଳାଉ ନାହାନ୍ତି। ଲକ୍ଷ୍ମୀବସ୍‌ କର୍ମଚାରୀମାନେ ଉଦ୍ଦେଶ୍ୟମୂଳକ ଭାବରେ ଘରୋଇ ବସ୍‌ର ରୁଟ୍‌,ପର୍‌ମିଟ୍‌ ସମୟ ଆଗରେ ବସ୍‌ ଚଳାଇ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଛନ୍ତି। ଲକ୍ଷ୍ମୀ ବସ୍‌ ପରିଚାଳନା ଲାଗି ବ୍ଲକ ସ୍ତରରେ ରହିଥିବା କର୍ମଚାରୀମାନେ ସରକାର ଓ ପ୍ରଶାସନର ନାମକୁ ଦ୍ବାହିଦେଇ ସବୁବେଳେ ଘରୋଇ ବସ୍‌ର କର୍ମଚାରୀ ଓ ମାଲିକମାନଙ୍କୁ ଅସଦ୍‌ ବ୍ୟବହାର ପ୍ରଦର୍ଶନ କରିବା ସହ ପୋଲିସରେ କେସ୍‌ କରିବାର ଧମକାଇବାରେ ଲାଗିଛନ୍ତି।

ଏହାକୁ ନେଇ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଘରୋଇ ବସ୍‌ମାଲିକମାନେ ସମ୍ପୂର୍ଣ୍ଣ କ୍ଷତି ସହି ଟ୍ୟାକ୍ସ, ପରିମିଟ୍‌ ଫି’, ଇନ୍‌ସ୍ୟୁରାନ୍ସ ଓ ଫାଇନାନ୍ସ ଦେବାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଥିବାରୁ କିଛି ମାଲିକ ବସ୍‌ ଚଳାଚଳ ବନ୍ଦ କରି ଘରେ ରଖିଦେଇଛନ୍ତି। ଏଣୁ ଲକ୍ଷ୍ମୀ ବସ୍‌ର ଏପରି ମନମାନି ବନ୍ଦ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ରୋକ୍‌ଠୋକ୍‌ ଭାବେ କହିଛି ଘରୋଇ ବସ୍‌ ମାଲିକ ସଂଘ।

Share
Tags: Bus Strike