ଓଡ଼ିଶାର ନବମ ଶ୍ରେଣୀ ଛାତ୍ରଙ୍କୁ ପୁରସ୍କୃତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି ଓଡ଼ିଶାର ନବମ ଶ୍ରେଣୀ ଛାତ୍ର ଅନ୍ବେଷ ଶୁଭମ ପ୍ରଧାନ। ମେଧାବୀ ଛାତ୍ର ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ବେଷଙ୍କ ଘର ଢେଙ୍କାନାଳ ଜିଲାରେ। କିଛି ବର୍ଷ ହେଲା ସେ ତାଙ୍କ ବାପା, ମା’ ସହିତ ଭୁବନେଶ୍ୱରରେ ରହୁଛନ୍ତି। ଅନ୍ବେଷ ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି। ଆଗକୁ ଆଇଆଇଟିରେ ପାଠ ପଢ଼ିବା ସହିତ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ୨୧ ରାଜ୍ୟରୁ ୩୨ଜଣ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇଛନ୍ତି। ସୂଚନା ଯୋଗ୍ୟ, କଳା, ସଂସ୍କୃତି, ନୂତନ ଆବିଷ୍କାର, ଶିକ୍ଷା, କ୍ରୀଡ଼ା, ସାହାସିକତା, ସମାଜସେବା ଆଦି କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭର୍ଚୁଆଲ ବୈଠକରେ ପିଲାଙ୍କ ସହ କଥା ହୋଇଛନ୍ତି। ଛାତ୍ରୀଛାତ୍ରଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି।