ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ

ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ ପୀଠରେ ଆରମ୍ଭ ହେବ ବିଶ୍ୱଶାନ୍ତି ମହାଯଜ୍ଞ। ମା’ ଭଦ୍ରକାଳୀ ସପ୍ତଦିବସ ମଧ୍ୟରେ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ ଏବଂ ମହାଲକ୍ଷ୍ମୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେବେ।
ଏଥିପାଇଁ ମନ୍ଦିରର ସିଂହଦ୍ୱାରଠାରୁ ଯଜ୍ଞମଣ୍ଡପ ଓ ମା’ଙ୍କର ପୂଜାମଣ୍ଡପ ସୁସଜ୍ଜିତ କରାଯାଇଥିବା ବେଳେ ଏହା ବେଶ୍‌ ଆକର୍ଷଣୀୟ ହୋଇଛି। ମହାଯଜ୍ଞ ନିମନ୍ତେ ଆଲୋକ ସଜ୍ଜା, ତୋରଣ, ପାନୀୟ ଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ପୂଜା ରୀତିନୀତି ଓ ସମୟ ନିର୍ଘଣ୍ଟ ତଥା ପୂର୍ଣ୍ଣାହୁତି ଅବସରରେ ଭକ୍ତମାନଙ୍କ ନିମନ୍ତେ ପହୁଡ଼ ଭୋଗ ସମ୍ପନ୍ନ କରିବା ପାଇଁ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୦୨୬ରେ ମହାଯଜ୍ଞକୁ ୨୫ବର୍ଷ ପୂରଣ ହେଉଥିବାରୁ ମା’ଙ୍କର ସୁନାବେଶ ଅନୁଷ୍ଠିତ ହେବ। ଏବେଠାରୁ ଭକ୍ତମାନେ ଦାନ କରିପାରିବେ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନେକ ଜନଶ୍ରୁତି ଓ କିମ୍ବଦନ୍ତୀ ଏହି ପୀଠର ମହିମାକୁ ବହୁଗୁଣିତ କରିଛି। କିମ୍ବଦନ୍ତୀ ଅନୁଯାୟୀ ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଦେହାନ୍ତ ପରେ ତାଙ୍କ ଶିଷ୍ୟ ଭଦ୍ରନାଥଙ୍କୁ ମା’ ଭଦ୍ରକାଳୀ ସ୍ବପ୍ନାଦେଶ କରି କହିବା ପରେ ସେ ମା’ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ପରେ ସ୍ଥାନୀୟ ରାଜା ମନ୍ଦିର ନିର୍ମାଣ କରିବା ସହ ପୂଜାର୍ଚ୍ଚନା କରିବା ପାଇଁ ସେବାୟତମାନଙ୍କୁ ନିୟୋଜିତ କରିଥିଲେ।
– ସନାତନ ରାଉତ, ଭଦ୍ରକ

Dharitri – The Largest & Most Trusted Odia Daily

Share