
ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ ବୁଲି ଥିଲେ। ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କରିଥିଲେ। ମ୍ୟୁଜିୟମ ସହ ପ୍ରଦର୍ଶନୀ ପଡ଼ିଆରେ ପଟ୍ଟଚିତ୍ର ଦେଖିଛନ୍ତି।
ଏହାପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଶୁକ୍ରବାର ଭୁବନେଶ୍ୱରସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସା ୭ଟା ୩୦ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସେ ସେଠାରେ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଳାଭୂମିର ବିଭିନ୍ନ ଗ୍ୟାଲେରି ପରିଦର୍ଶନ କରି ରାଷ୍ଟ୍ରପତି ଶନ୍ମୁଗରତ୍ନମ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରିରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢ଼ି କିଣି ୟୁପିଆଇ ମାଧ୍ୟମରେ ଟଙ୍କା ଦେଇଥିଲେ। ସୂଚନାଯୋଗ୍ୟ, ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ ଭାରତର ଏହି ଡିଜିଟାଲ ପେମେଣ୍ଟ ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି। ଏହି ଅବସରରେ ରାଷ୍ଟ୍ରପତି ସେଠାରେ ରାତ୍ରିଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ରାଷ୍ଟ୍ରପତି ଶନ୍ମୁଗରତ୍ନମ ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ବୋଲି ସେ ମନ୍ତବ୍ୟ ଦେଇଥିଲେ। ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହିତ ଓଡ଼ିଶା ଓ ସିଙ୍ଗାପୁରର ଏକ ଫ୍ୟୁଜନ ନୃତ୍ୟ ପରିବେଷଣ କରାଯାଇଥିଲା। ରାଷ୍ଟ୍ରପତି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟପକ୍ଷରେ ସିଙ୍ଗାପୁର ରାଷ୍ଟ୍ରପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ବାକ୍ଷରିତ ହୋଇଛି ।