ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍ଏନ୍ଏଲ୍ର ୪-ଜି ଟାୱାର ଲୋକାର୍ପଣ କରିବା ପରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଏଣିକି ଅଞ୍ଚଳରେ ପାଠପଢୁଥିବା ଛାତ୍ରୀଛାତ୍ରମାନେ ଇଣ୍ଟରନେଟ୍ ସେବାର ସୁବିଧା ନେଇ ଆଗକୁ ବଢ଼ିବେ ଓ ଶିକ୍ଷିତ ତଥା ଯୁବବର୍ଗଙ୍କ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ଗୁରୁବାର ରାଷ୍ଟ୍ରପତି ଶିମିଳିପାଳ ଜାତୀୟ ଉଦ୍ୟାନର ଗୁଡୁଗୁଡ଼ିଆଠାରେ ରାତ୍ରିଯାପନ କରିଥିଲେ। ଶିମିଳିପାଳରେ ରହଣି ଅବସରରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ.ଗଣେଶ ରାମସିଂ ଖୁଣ୍ଟିଆ ଏହି ସଭାରେ ସ୍ବାଗତ ଭାଷଣ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଜନଜାତିର ଲୋକମାନେ ଉପସ୍ଥିତ ଥିଲେ। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିବା ସହ ଏହାର ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଥିଲେ। ପ୍ରୋଟେକଲ ଭାଙ୍ଗି ମଞ୍ଚରୁ ତଳକୁ ଓହ୍ଲାଇ ଆସି ଆଦିବାସୀ ମହିଳା ଓରପା ଯୁବବର୍ଗଙ୍କ ସହ ଭାବ ବିନିମୟ କରିଥିଲେ। ଏହି ସମୟରେ ଜଣେ ଯୁବକ ରାଷ୍ଟ୍ରପତିଙ୍କୁ କହିଛନ୍ତି, ମୁଁ ଏମ୍.କମ୍ ପଢିକି ଘରେ ରହିଛି। ଚାକିରି ମିଳୁନାହିଁ। ଏହି ସମୟରେ ରାଷ୍ଟ୍ରପତି କହିଛନ୍ତି ଖାଲି ପଢିଦେଲେ ହେବନି। ଏବେ କମ୍ପିଟିଶନ ଯୁଗ। ସଂଘର୍ଷ କରିବାକୁ ହେବ। ଯେଉଁମାନେ ଧାଡିରେ ଛିଡା ହୁଅନ୍ତି ସେମାନଙ୍କୁ ପ୍ରାଇଜ୍ ମିଳେନି। ଯିଏ ଆଗେ ଦୌଡେ ସିଏ ହିଁ ସଫଳତା ହାସଲ କରେ।