କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ ଶୁକ୍ରବାର ସହର ପରିକ୍ରମା କରାଯାଇ ଥିଲା। ପରେ ବ୍ଲକ କାର୍ଯ୍ୟାଳୟରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଗଣଧାରଣା ଦିଆଯାଇଥିଲା। ସମଗ୍ର କେସିଙ୍ଗା ବ୍ଲକର ସମସ୍ତ ସ୍କୁଲର ପାଚିକା ଦୀର୍ଘ ୧୫ ବର୍ଷ ହେଲା ୧ ଶହ ଟଙ୍କାରେ କାମ କରି ଆସୁଛନ୍ତି। ବର୍ତ୍ତମାନ ମାସିକ ୩ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ପ୍ରତ୍ୟେକ ମାସରେ ଦେଉ ନାହାନ୍ତି।
ରାଜ୍ୟ ସରକାର ଦୈନିକ ସର୍ବନିମ୍ନ ମଜୁରି ୪୬୨ଟଙ୍କାରୁ ୫୫୦ ଟଙ୍କା ଯାଏ ବିଭିନ୍ନ କୁଶଳୀ, ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ଦେବା ପାଇଁ ଘୋଷଣା କରିଛନ୍ତି। ମାତ୍ର ପାଚିକାମାନଙ୍କ କାହିଁକି ପାରିଶ୍ରମିକ ବୃଦ୍ଧି କରାଯାଉ ନାହିଁ ବୋଲି ଶୁକ୍ରବାର କେସିଙ୍ଗା ବ୍ଲକ ସମ୍ମୁଖରେ ଏକ ଗଣଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ୯ ଦଫା ଦାବିପତ୍ର କେସିଙ୍ଗା ବିଡିଓଙ୍କୁ ପ୍ରଦାନ କରିଥିଲେ। ପାଚିକାମାନେ ଦୀର୍ଘ ୧୫ ବର୍ଷ ଧରି ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ଛାତ୍ରୀଛାତ୍ରଙ୍କ ଅଇଁଠା ବାସନକୁସନ ସଫା କରୁଛନ୍ତି। ରାଜ୍ୟ ସରକାର ମାସିକ ୧୦ ହଜାର ଟଙ୍କା ଦେବାକୁ ପାଚିକାମାନେ ଦାବି କରିଛନ୍ତି। ଯଦିଓ ରାଜ୍ୟ ସରକାର ପାଚିକାମାନଙ୍କ ପାରିଶ୍ରମିକ ଦୈନିକ ୩ ଶହ ଟଙ୍କାକୁ ବୃଦ୍ଧି ନ କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।