ଭୁବନେଶ୍ୱର,୨୦।୨ (ସୁନିତ୍ ମିଶ୍ର): ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତା’ର ଉଚିତ ମୂଲ୍ୟ ପାଇବା ପାଇଁ ଭାଜପା ସବୁବେଳେ ପ୍ରୟାସ କରୁଛି। ଧାନ ଅମଳରେ ଓଡ଼ିଶା ଗୋଟିଏ ସମୟରେ ୧୯ ନମ୍ବରରେ ଥିବାବେଳେ ଏବେ ୨ୟ ନମ୍ବର ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ୨୦୧୪ରେ ଶପଥ ନେଲାବେଳକୁ ଧାନ କୁଇଣ୍ଟାଲ ପିଛା ୧୩୧୦ ଟଙ୍କା ଥିବାବେଳେ ବର୍ତ୍ତମାନ ଓଡ଼ିଶାରେ ଭାଜପାର ଡବଲ ଇଞ୍ଜିନ ସରକାର ଗଠନ ହେବାପରେ ୩୧୦୦ ଟଙ୍କା କୁଇଣ୍ଟାଲରେ ଧାନ କିଣା ହେଉଛି। ୨୦୨୪ ପୂର୍ବରୁ ଅର୍ଥାତ୍ ପୂର୍ବ ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିଲା। ସେତେବେଳେ ୧୩ ହଜାର କୋଟି ଟଙ୍କାର ଧାନ କିଣା ହୋଇଥିଲା। ଓଡ଼ିଶାରେ ଭାଜପା ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ଖରିଫ ରବି ଫସଲକୁ ମିଶାଇ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ୨୭ ହଜାର କୋଟି ଟଙ୍କାର ୯୨ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଛି। ଏହା ବ୍ୟତୀତ ଚାଷୀଙ୍କ ରୋଜଗାରକୁ ଦ୍ୱିଗୁଣା କରିବା ପାଇଁ ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ବାର୍ଷିକ ୧୦ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବିରୋଧୀ ସରକାରଙ୍କ କାମକୁ ବିଫଳ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ବିଫଳ ହେବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଧାନ କିଣାବିକା ପାଖାପାଖି ୨ ଗୁଣା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଧାନ କିଣାକୁ ନେଇ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ କରି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ରାଜ୍ୟର ଅଧିକାଂଶ ଜିଲାରେ ଧାନକିଣା ୯୦ରୁ ୯୫% ଅତିକ୍ରମ କରିସାରିଲାଣି। ଧାନକିଣା ଏବେ ବି ଅବ୍ୟାହତ ରହିଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଟୋକନ ବ୍ୟବସ୍ଥା ଅନୁସାରେ ଧାନ କିଣାଯାଇଛି। ଆବଶ୍ୟକ ପଡ଼ିଲେ ୪ର୍ଥ ପର୍ଯ୍ୟାୟରେ ଟୋକନ ପ୍ରଦାନ କରାଯିବ।