ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା ସହଯାତ୍ରୀମାନେ ମୁମୂର୍ଷୁ ଅବସ୍ଥାରେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ଡିଉଟି ରହିଥିବା ଡାକ୍ତର ପ୍ରିତମ ବାଗ ତାଙ୍କୁ ମୃତ ଘୋଷଣା କରିବାସହ ପୋଲିସକୁ ସୂଚନା ଦେଇଥିଲେ। ମୃତ ବୃଦ୍ଧାଙ୍କ ନାମ ପଦ୍ମାରାନୀ ସାହା(୭୯)। ସୁଦୁର ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଞ୍ଚଳର ବୃଦ୍ଧା ଜଣକ ପୁତ୍ର ଚନ୍ଦ୍ରକାନ୍ତ ସାହା ଓ ବୋହୂଙ୍କ ସହ ତୀର୍ଥଯାତ୍ରାରେ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶନିବାର ସକାଳେ ସେମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ଆଦି ତୀର୍ଥ ଭ୍ରମଣ କରିବା ପରେ ତୀର୍ଥଯାତ୍ରାର ସାକ୍ଷୀ ଦେବାକୁ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନକରି ଘରକୁ ଫେରିଯିବାକୁ ଲକ୍ଷ୍ୟ ରଖିଥିଲେ। ମାତ୍ର ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରିବା ପରେ ସେ ନିର୍ବାଣ ଲଭିଥିବା ନେଇ ଶ୍ରଦ୍ଧାଳୁମାନେ କହିଛନ୍ତି।

Dharitri –Odisha’s No.1 Trusted Odia Daily

Share