ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ ହେଲେ ୧୧୦ ବର୍ଷର ବଟ ମଲ୍ଲିକ। ସେ ତାଙ୍କର ବିଧବା ବୋହୂ, ନାତୁଣୀ ଜ୍ବାଇଁଙ୍କ ସହିତ ଘରେ ଥିଲେ। ସକାଳୁ ବଟଙ୍କ ଝୁଲନ୍ତା ଶରୀର ଘର ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ବୋହୂଙ୍କ ମୁଣ୍ଡ ଫାଟି ଥିବା ବେଳେ ଘର ଆଗରେ କୁରାଢ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ବୋହୂଙ୍କ ବୟାନ ଅନୁସାରେ, ଶ୍ୱଶୁର ବଟ ତାଙ୍କ ମୁଣ୍ଡକୁ କୁରାଢ଼ିରେ ହାଣି ଆତ୍ମହତ୍ୟା କରିଛନ୍ତି। ଯେଉଁ ପଙ୍ଖାରେ ବଟ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ସେହି ପଙ୍ଖା ପାଖକୁ ଜଣେ ବୃଦ୍ଧ ଚଢ଼ିବା ଏକପ୍ରକାର ଅସମ୍ଭବ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ ବୋହୂ ଏବେ କୁଜଙ୍ଗ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଥାଉକି, ମୃତକ ବଟଙ୍କ ଏକମାତ୍ର ପୁଅର କିଛି ବର୍ଷ ତଳେ ପରଲୋକ ଘଟିଛି। ତାଙ୍କର ନାତି ଏବେ ବାହାରେ ଚାକିରି କରୁଥିବା ଜଣାପଡ଼ିଛି। ବୃଦ୍ଧ ବଟଙ୍କୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ଜିଲା ପ୍ରଶାସନ ପକ୍ଷରୁ ଶତାୟୁ ଭୋଟର ଭାବେ ସମ୍ମାନିତ କରାଯାଇଥିଲା। ସେ ୩୫୦୦ ଟଙ୍କା ଭତ୍ତା ପାଉଥିଲେ। ନାତୁଣୀଙ୍କ ସନ୍ତାନ ନାମରେ ଘର ଜମି ବାଡ଼ି କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା। ସେଥିପାଇଁ ସେ ରାଜି ହେଉ ନ ଥିଲେ। ଏହି ହତ୍ୟା ପଛରେ ସେହି ସମ୍ପତ୍ତି ଲୋଭ ବୋଲି କୁହାଯାଉଛି। ରିପୋର୍ଟ ଲେଖା ହେବା ସୁଦ୍ଧା ମାମଲା ରୁଜୁ ହୋଇନାହିଁ।