୪ ଦିନ ହେଲା ମିଳୁ ନ ଥିଲା ବୃଦ୍ଧାଙ୍କ ଖୋଜଖବର, ଆଜି ମୃତଦେହ ଦେଖି…

ଦେବଗଡ଼,୨୯ା୮(ଶଶାଙ୍କ ଶେଖର ଝାଙ୍କର): ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡ଼ପୋଶି ଗ୍ରାମର ସ୍ବର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ(୭୦) ବୋଲି ଜଣାପଡ଼ିଛି । ରଙ୍ଗନତୀ ପ୍ରାୟ ୪ ଦିନ ପୂର୍ବରୁ ନିଖୋଜ ଥିବାବେଳେ ଏନେଇ ପରିବାର ପକ୍ଷରୁ କୁଣ୍ଢେଇଗୋଳା ଥାନାରେ ଲିଖିତ ସୂଚନା ଦିଆଯାଇଥିଲା।

ଶୁକ୍ରବାର ସକାଳେ କେତେକ ଲୋକ କୁଣ୍ଢେଇଗୋଳା ସ୍ଥିତ ଟିକିରା ପୋଲ ତଳେ ଟିକିରା ନଦୀ କୂଳେ ରଙ୍ଗବତୀଙ୍କ ମୃତଦେହ ଭାସୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପରିବାର ଲୋକେ କୁଣ୍ଢେଇଗୋଳା ଥାନା ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଙ୍ଗବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share