ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ହେଉଛନ୍ତି ଅଲିଭ୍‌ ରିଡ୍‌ଲେ ଶାବକ

ଗଞ୍ଜାମ,୧୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି। ଗତ ନଭେମ୍ବରରୁ ଜାନୁଆରୀରେ ସମୁଦ୍ରରେ ମିଳନ ପରେ ଋଷିକୁଲ୍ୟା ମୁହାଣ ନିକଟରେ ଦୁଇଟି ପର୍ଯ୍ୟାୟରେ ଗଣ ଅଣ୍ଡାଦାନ କରିଥିଲେ। ଅଣ୍ଡାଦାନର ୪୫ ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଛି। ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡିଶାଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା’ ଅଲିଭ ରିଡ୍‌ଲେ କଇଁଛ ସମୁଦ୍ରକୁ ଚାଲି ଯାଇଥାଏ। ଛୁଆ ବାହାରିବା ପରେ କୁନି ଶାବକମାନେ ମଧ୍ୟ ସମୁଦ୍ରକୁ ଚାଲିଯାଇଥାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଦୁଇଥର ୯ ଲକ୍ଷ ୪ ହଜାର ୫୧୭ ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ରହିଥାଏ । ମିଳନଠାରୁ ଅଣ୍ଡାରୁ ଛୁଆ ବାହାରିବା ପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାରେ ଲାଗିପଡ଼ିଥାନ୍ତି ବନ ବିଭାଗ କର୍ମଚାରୀ। ଏବେ କୁନି କୁନି ଶାବକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ସେମାନଙ୍କୁ ସମୁଦ୍ରକୁ ଛଡ଼ାଯାଇଥାଏ। ଏପରିକି ଚଳିତ ବର୍ଷ ଦିନବେଳେ ମଧ୍ୟ ଗଣଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଥିଲା। ପୋଡ଼ମପେଟା ଅଞ୍ଚଳର ୫ କିମି ବେଳାଭୂମିକୁ ଅଲିଭ ରିଡ୍‌ଲେ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ମଧ୍ୟ କରାଯାଇଛି।