ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପୋଖରୀଗୁଡା ଗ୍ରାମ ଭଟାଗୁଡା ପଡାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପଡାବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ପଡାରେ ନଳକୂଅ ଖନନ ଆରମ୍ଭ କରିଛି। ଭଟାଗୁଡା ପଡାରେ ଶତାଧିକ ପରିବାର ବସବାସ କରୁଥିବାବେଳେ ସରକାରଙ୍କ ପକ୍ଷରୁ ୨ ଗୋଟି ନଳକୂପ ଖନନ କରାଯାଇଛି। ହେଲେ ଏହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ। ଫଳରେ ଲୋକେ ନିକଟ ନାଳ ଓ ଝରଣାର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ପଡାର ମହିଳାମାନେ ଏ ନେଇ ବିଡିଓଙ୍କୁ ଭେଟି ବିକଳ୍ପ ବ୍ୟବସ୍ଥା କରିବାକୁ ଗୁହାରି କରିଥିଲେ। ଗତ ସୋମବାର ଧରିତ୍ରୀରେ ଏହି ଖବର ପ୍ରକାଶ ପରେ ଏହାର ତୁରନ୍ତ ସମାଧାନ ପାଇଁ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ନଳକୂପ ଖନନ ପାଇଁ ଗାଡି ପହଞ୍ଚି ଖନନ କାର୍ଯ୍ୟ ଆରମ୍ଭ କରିଛି।