ପ୍ରେମବିବାହକୁ ପୂରିଲାନି ୫ ମାସ, ଚାଲିଗଲା ନବବଧୂଙ୍କ ଜୀବନ: ହତ୍ୟା ଅଭିଯୋଗ ଆଣି ବାପା କହିଲେ ମୋ’ ଝିଅକୁ…

ଭୋଗରାଇ,୨୨ା୮(ପ୍ରଦୀପ ଦାସ): ବିବାହର ୫ ମାସ ନ ପୂରୁଣୁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବାର ମୃତା ମହିଳାଙ୍କ ବାପା ବାଲେଶ୍ୱର ଜିଲା ଭୋଗରାଇ ଥାନାରେ ଗୁରୁବାର ରାତିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଭୋଗରାଇ ଥାନା ପୋଲିସ ଜଳେଶ୍ୱରପୁର ଡାକ୍ତରଖାନାରୁ ମୃତଦେହ ଜବତ କରିବା ସହିତ ୨୬୭/୨୫ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ମୃତା ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି। ମୃତା ମହିଳା ହେଲେ ମୌସୁମୀ ସାମଲ (୨୧)। ସେ ହାଟ ସରିଷାଗ୍ରାମର ବିଜୟ ସାମଲଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ମହିଳାଙ୍କ ମୃତଦେହକୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାନୁଯାୟୀ, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାରଣ ମହାନ୍ତି ପଡ଼ିଆ ଗ୍ରାମର ବ୍ରଜଗୋପାଳ କରଙ୍କ ଝିଅ ମୌସୁମୀ ଆର୍‌ଆଇଏଚ୍‌ଏସ୍‌ ମହାବିଦ୍ୟାଳୟର ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ। ପରିବାର ଲୋକଙ୍କ ଅଜାଣତରେ ପାଠପଢ଼ା ସମୟରେ ବିଜୟ ତାଙ୍କୁ ପ୍ରେମ କରି ଅନ୍ୟତ୍ର ନେଇଯାଇ ବିବାହ କଲା ପରେ ଘରେ ରଖିଥିଲେ। ବିବାହ ପରେ ସ୍ବାମୀ, ଶ୍ୱଶୁର, ଶାଶୁ, ଓ ଖୁଡ଼ତା ଶ୍ୱଶୁର ମିଶି ବାପଘରୁ ୫ ଲକ୍ଷ ଟଙ୍କା, ବାଇକ୍‌ ଓ ସୁନାଚେନ ଆଣିବାକୁ ବାରମ୍ବାର କହୁଥିବା ମୌସୁମୀ ତାଙ୍କ ବାପଘରକୁ ଫୋନରେ ଜଣାଇଥିଲେ। ବାପଘର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଏ ସମସ୍ତ ଦାବି ଦେଇ ପାରିବେ ନାହିଁ ବୋଲି ମୌସୁମୀଙ୍କ ବାପା ଅନୁରୋଧ କରିଥିଲେ ମଧ୍ୟ ଶାଶୁଘର ଲୋକେ ମିଳିତ ହୋଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗ ଅନୁଯାୟୀ, ଭୋଗରାଇ ଥାନା ଅଧିକାରୀ ରୋହିତ ବଳ ଘଟଣାର ପ୍ରାଥମିକ ତଦନ୍ତ ଜାରିରଖିଛନ୍ତି।

Share