କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ ପରେ ଅନ୍ତ ଘଟାଇ କୁନ୍ଦୁରା ବ୍ଲକକୁ ମିଳିଛି ନୂତନ ଅଧ୍ୟକ୍ଷା ପଦବୀ। ଗତ ଦିନରେ ଅଧ୍ୟକ୍ଷା ପଦବୀକୁ ନେଇ କୁନ୍ଦୁରା ବ୍ଲକ ଅତି ସମ୍ବେଦନଶୀଳ ଅବସ୍ଥାରେ ରହିଥିବା ବେଳେ ତା’ର ଅନ୍ତ ଘଟିଛି। ରାଜେଶ୍ୱରୀ ପରିଜା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଗଦେରୀ ପଞ୍ଚାୟତରୁ ସମିତି ସଭ୍ୟାରେ ବହୁମତ ପାଇ ଦଳର ସମର୍ଥନରେ କୁନ୍ଦୁରା ବ୍ଲକର ୨୨ତମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ଏହାର ଠିକ୍ ମାସେ ପରେ ଅଧ୍ୟକ୍ଷା ନିଜର ମନମୁଖୀ ଶାସନ କରୁଥିବା ନେଇ ରାଜେଶ୍ୱରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ପ୍ରଶାସନ ଭୋଟିଂ ବ୍ୟବସ୍ଥା କରିଥିବା ବେଳେ ପୂର୍ବଦିନ ରାଜେଶ୍ୱରୀ ପରିଜା ଅଧ୍ୟକ୍ଷା ପଦବୀରୁ ଜୟପୁର ଉପଜିଲାପାଳଙ୍କ ନିକଟରେ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ୮ ଜଣ ସମିତି ସଭ୍ୟା ସଭ୍ୟ ନିର୍ଦଳୀୟ ଭାବେ ରହି ସ୍ବାଧୀନ ପ୍ରାର୍ଥୀ ସମର୍ଥନରେ ଅଧ୍ୟକ୍ଷା ନିର୍ବାଚନ ନେଇ ସମ୍ମତି ଜଣାଇଥିଲେ। ବର୍ତ୍ତମାନ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ବାଣୁଆଗୁଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। କୁନ୍ଦୁରା ବ୍ଲକରେ ଇତି ମଧ୍ୟରେ କିଛିଦିନ ଧରି ବ୍ୟବସ୍ଥା ଚଳାଇବାକୁ ଉପାଧ୍ୟକ୍ଷଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନୂତନ ଦାୟିତ୍ୱ ନେବା ପରେ କୁନ୍ଦୁରା ବ୍ଲକ ରୂପରେଖ ଅବସ୍ଥା ସୁଧାରିବା ନେଇ ଯେତିକି ଦିନ ଦାୟିତ୍ୱରେ ରହିବି ସୂଚାରୁରୂପେ ସମ୍ପନ୍ନ କରିବି ବୋଲି ନବନିର୍ବାଚିତ ଅଧ୍ୟକ୍ଷା ବନିତା କାନ୍ଦଲିଆ କହିଛନ୍ତି। ଏହାକୁ ନେଇ ଉପାଧ୍ୟକ୍ଷ ତରୁଣୀସେନ ବିଷୋୟୀ, ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ଏମ୍ପି ପ୍ରତିନିଧି ତୁଷାର ଭଟ୍ଟ, ପ୍ରକାଶ ପଟ୍ଟନାୟକ, ସମିତିସଭ୍ୟା ମମତା ଭଟ୍ଟ, ମମିତା ହରିଜନ, ସୁବର୍ଣ୍ଣ ନାୟକ, ସଦନ ମୁଦୁଲି, ଗୁପ୍ତ ଅଡାରୀ,ସରପଞ୍ଚ ରାମଚନ୍ଦ୍ର ବାଣୁଆ, ଭାନୁମତି ମସିଆ, ଡମ୍ବୁରୁ ପୂଜାରୀ, ଶିବ ପ୍ରଧାନୀ,ଗୁପ୍ତ ନାୟକ, ବୁଲୁ ସାହୁ, ଗୁପ୍ତ ହରିଜନ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇଥିଲେ। ଏଥି ସହିତ ବ୍ଲକ କର୍ମଚାରୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।