ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚିଠି ସଂଖ୍ୟା ୧୬୫/ଏଚଜିଏସ୍‌, ତାରିଖ ୨୬ା୩ା୨୦୨୬ ଅନୁଯାୟୀ, ରାଜ୍ୟ ହୋମଗାର୍ଡ ନିର୍ଦ୍ଦେଶାଳୟର ଅନୁମୋଦନକ୍ରମେ ୧୩୫ ଜଣଙ୍କୁ ୩ ବର୍ଷ ପାଇଁ ଅସ୍ଥାୟୀ ଭାବେ ହୋମଗାର୍ଡ ରୂପେ ଚୟନ କରାଯାଇଥିବା ସମ୍ପର୍କିତ ତାଲିକାର ଏକ ପିଡିଏଫ୍‌ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିଲା। ଏହି ପିଡିଏଫ୍‌ କିପରି ପ୍ରାର୍ଥୀଙ୍କ ମୋବାଇଲକୁ ଆସିଲା ତାହା ଆଲୋଚନାର ବିଷୟ ହୋଇଥିବା ବେଳେ ଉକ୍ତ ମେଧା ତାଲିକାର କ୍ରମିକ ସଂଖ୍ୟା ୭୨ରେ ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ହରି ବେହେରାଙ୍କ ପୁଅ ରମେଶ ବେହେରାଙ୍କ ନାମ ଉଲ୍ଲେଖ ଥିଲା। ରମେଶ ଜଣେ ଉଚ୍ଚଶିକ୍ଷିତ ଏବଂ ସେ ଲିଖିତ, ଶାରୀରିକ ଓ ଦକ୍ଷତା ପରୀକ୍ଷାରେ ସଫଳତା ହାସଲ କରିଥିଲେ।
ମାତ୍ର ଶୁକ୍ରବାର ରମେଶ ଯେତେବେଳେ ଆବଶ୍ୟକ ଦଲିଲ ଯାଞ୍ଚ ପାଇଁ କାର୍ଯ୍ୟାଳୟରେ ପହଞ୍ଚତ୍ଲେ ସେଠାରେ ଅଧିକାରୀମାନେ ତାଙ୍କ ନାମ ତାଲିକାରେ ନ ଥିବା କହିଥିଲେ। ସେ ନିଜେ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ, ପୂର୍ବରୁ ତାଙ୍କ ନାମ ଥିବା ୭୨ ନମ୍ବର ସ୍ଥାନରେ ଏବେ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏ ସମ୍ପର୍କରେ ରମେଶ ଅଧିକାରୀମାନଙ୍କୁ ପଚାରିବାରୁ ସେମାନେ ଏହାକୁ ଏକ ‘ଟାଇପିଂ ମିଷ୍ଟେକ୍‌’ ବୋଲି କହି ନିଜ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ନ୍ୟାୟ ଆଶାରେ ସେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଏସ୍‌ପି ଅନୁପସ୍ଥିତ ଥିବାରୁ ଡିଏସ୍‌ପିଙ୍କୁ ଭେଟିଥିଲେ। ମାତ୍ର ଡିଏସ୍‌ପି ରମେଶଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରି ନ ଥିଲେ। ଆସନ୍ତା ସୋମବାର ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ସେ କହିଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ତାଙ୍କୁ ନ୍ୟାୟ ନ ମିଳେ, ତେବେ ସେ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share