କଟକ,୧୨।୯: ବଦଳିଗଲା ୧୦୦୦ ବର୍ଷର ଐତିହାସିକ ସହରର ଭିନ୍ନ ପରିଚୟ ବାଲିଯାତ୍ରାର ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାର ନାଁକୁ ଚଳିତ ବର୍ଷ ବଦଳାଇ ଦିଆଯାଇଛି। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’। ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲାପାଳ ସୂଚନା ଦେଇଛନ୍ତି। ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଚଳିତ ବର୍ଷର ବାଲିଯାତ୍ରାରେ ଆଉ କିଛି ପରିବର୍ତ୍ତନ ବି କରାଯାଇଛି। ବାଲିଯାତ୍ରାରେ ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା।