ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ଶନିବାର ଏକ ହତ୍ୟା ମାମଲାର ବିଚାରଣ କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ଦଣ୍ଡିତ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ ଜଲିସାହିର ବସନ୍ତ ସେଠୀ, ଦିଲ୍ଲୀପ ସେଠୀ, ଅଭିମନ୍ୟୁ ସେଠୀ, ଶ୍ୱେତ ସେଠୀ ଓ ସନ୍ତୋଷ ସାମଲ।
ଘଟଣାରୁ ପ୍ରକାଶ ଯେ, ବସନ୍ତ ସେଠୀର ବାରମ୍ବାର ଦେହ ଖରାପ ହେଉଥିଲା। ତେଣୁ ତାଙ୍କୁ ପବନା ସେଠୀର ପରିବାର ଲୋକେ ଗୁଣିଆ କରିଥିବା ସନ୍ଦେହ କରିଥିଲା। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଉକ୍ତ ପୂର୍ବ ଶତ୍ରୁତା ଲାଗି ରହିଥିବା ବେଳେ ଗତ ୨୦୧୯ ନଭେମ୍ବରେ ୧୧ ତାରିଖ ରାତି ୮ ଟାରେ ବସନ୍ତ ଓ ପବନା ସମେତ ଅନ୍ୟମାନେ ଜୁଆ ଖେଳୁଥିଲା। ଏହି ସମୟରେ ବସନ୍ତ ଓ ପବନା ମଧ୍ୟରେ ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ଘରୁ ଛୁରି ଆଣି ପବନାଙ୍କ ଘରକୁ ଯାଇଥିଲେ। ସେଠୀ ପୁଣି ବସନ୍ତ ଓ ପବନା ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ପବନାକୁ ଛୁରିରେ ତାଙ୍କ ଘର ନିକଟରେ ଆକ୍ରମଣ କରିଥିଲେ। ଏହି ସମୟରେ ଦିଲ୍ଲୀପ ସେଠୀ ଓ ସନ୍ତୋଷ ସାମଲ ପବନାର ହାତ ଦୁଇଟିକୁ ଧରିଥିଲେ। ପବନାର ଚିତ୍କାର ଶୁଣି ତାଙ୍କ ବାପା ମା’ଘଟଣାସ୍ଥଳକୁ ଦୌଡ଼ି ଆସୁଥିଲେ। କିନ୍ତୁ ବାଟରେ ଅଭିମନ୍ୟୁ ସେଠୀ ଓ ଶ୍ୱେତ ସେଠୀ ପବନାଙ୍କ ବାପା ମା’ଙ୍କୁ ଅଟକାଇ ଦେଇଥିଲେ। ଏହି ସମୟରେ ପବନାଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହାପରେ ପବନାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ଚିକିତ୍ସା ପାଇଁ ନେବା ସମୟରେ ବାଟରେ ମୃତ୍ୟୁବରଣ କରିଥିଲେ। ଏନେଇ ସେ ସମୟରେ ପବନାଙ୍କ ମା’ ସେବତୀ ସେଠୀ ଜଗନ୍ନାଥପ୍ରସାଦ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ମାମଲାରେ ବସନ୍ତ ଘଟଣା ପରଠୁ ଜେଲ୍ରେ ଥିବା ବେଳେ ଅନ୍ୟମାନେ ଜାମିନରେ ଥିଲେ। ଆଜି ଦଣ୍ଡ ପରେ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ପୁର୍ବରୁ ଏମ ତାଜ ଆଦେନୀ ମୋକଦ୍ଦମା ଲଢ଼ୁଥିଲେ। ତାଙ୍କର ବିୟୋଗ ପରେ ସରକାରଙ୍କ ପକ୍ଷରୁ ଡ. ସୁଶାନ୍ତ ତ୍ରିପାଠୀ ମୋକଦ୍ଦମା ପରିଚାଳନା କରୁଥିଲେ। ତାଙ୍କୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଦାସ ଏବଂ ଓମ୍ ପ୍ରକାଶ ପ୍ରଧାନ ସହଯୋଗ କରୁଥିଲେ।