ବଲାଙ୍ଗୀର,୪।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରୁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ୫୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଦାଦନ ସର୍ଦ୍ଦାର ଶ୍ରମିକ ଚାଲାଣ କରିବା ପାଇଁ ଶ୍ରମିକମାନଙ୍କୁ ଘରେ ରଖିଥିବା ବେଳେ ପୋଲିସ ଚଢ଼ାଉ କରି ୫୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ବଲାଙ୍ଗୀର ପୋଲିସ ଦାଦନ ଶ୍ରମିକ ଚାଲାଣ ହେଉଥିବା ସୂଚନା ପାଇ ରାତି ଅଧିଆ ଚଢାଉ କରିଥିଲା। ଚଢ଼ାଉ ପରେ ୫୫ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରିଥିଲା । ଏମାନଙ୍କୁ ଦାଦନ ସର୍ଦ୍ଦାର ଆନ୍ଧ୍ରପ୍ରଦେଶ ନେଉଥିବା ଜଣାପଡ଼ିଛି । କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୮ରେ ଥିବା ଏକ ଘର ଭିତରେ ସର୍ଦ୍ଦାର ଦାଦନ ଶ୍ରମିକମାନଙ୍କୁ ଲୁଚାଇ ରଖିଥିବାବେଳେ ପୋଲିସ ଉଦ୍ଧାର କରି ସମସ୍ତ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୋଲିସ ଥାନାରେ ଆଣି ପଚରାଉଚରା କରୁଛି। ଶ୍ରମିକମାନେ ନୂଆପଡ଼ା ଓ ତୁରେଇକେଲା ଅଞ୍ଚଳର ବୋଲି ସୂଚନା ମିଳିଛି। ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ , ପୁରୁଷ ୨୫ ଜଣ ଓ ମହିଳା ୧୬ ଜଣ ଥିବା ନେଇ ପୋଲିସ ପକ୍ଷରୁ ଥାନା ସୂଚନା ଦିଆଯାଇଛି।