ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ୱାର୍ନିଂ ଜାରି କରିଛି। ଆଗାମୀ ୭ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷେ ଘନ କୁହୁଡ଼ିରେ ସୁରକ୍ଷିତ ଭାବେ ଯାତାୟାତ ପାଇଁ ସରକାର ସତର୍କତା ଜାରି କରିଛନ୍ତି । ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, ସୁବର୍ଣ୍ଣପୁର, କଳାହାଣ୍ଡି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଜଗତ୍‌ସିଂହପୁର, କଟକ ଏବଂ ଗୁରୁବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, ସୁବର୍ଣ୍ଣପୁର, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲାକୁ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ଏବଂ ଶନିବାର ସୁନ୍ଦରଗଡ଼, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରବିବାର ସୁନ୍ଦରଗଡ଼, ଜଗତ୍‌ସିଂହପୁର, କୋରାପୁଟ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

ଗତ ୨୪ ଘଣ୍ଟାରେ ରାଉରକେଲା, ଫୁଲବାଣୀ, ସୋନପୁର, ଝାରସୁଗୁଡାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବାବେଳେ ଚାନ୍ଦବାଲି, ଭବାନୀପାଟଣା, କୋରାପୁଟ, ବରଗଡ଼, ପାରାଦୀପ, କେନ୍ଦୁଝର, ସମ୍ବଲପୁର ଏବଂ ହୀରାକୁଦରେ ମଧ୍ୟମରୁ ହାଲୁକା କୁହୁଡ଼ି ଦେଖାଦେଇଥିଲା।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ କୋରାପୁଟରେ ରହିଥିଲା। ସେହିପରି ଶିମିଳିପାଳରେ ୬.୭, ଦାରିଙ୍ଗିବାଡ଼ିରେ ୭, ଜି.ଉଦୟଗିରିରେ ୭.୪, ନବରଙ୍ଗପୁରରେ ୮, ଫୁଲବାଣୀରେ ୮.୫, ଚିପିଲିମା ଓ ଝାରସୁଗୁଡ଼ାରେ ୯.୪, ବୌଦ୍ଧରେ ୯.୫ ଏବଂ ଅନୁଗୋଳରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।