heat wave in the city and hand showing thermometer for high temperature
ଭୁବନେଶ୍ୱର,୨୨ା୩(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଆସନ୍ତା ୨୫ ତାରିଖରୁ ସମଗ୍ର ରାଜ୍ୟ ଆହୁରି ଉତ୍ତପ୍ତ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ବୃଦ୍ଧି ପାଇବ। ଦିନରେ ଝାଞ୍ଜି ପବନ ସାଙ୍ଗକୁ ତତଲା ହାଓ୍ବା ବହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୨୪ ତାରିଖରେ ବାଂଲାଦେଶ ଅତିକ୍ରମ କରିବା ପରେ ରାଜ୍ୟକୁ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେବ । ଫଳରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀକୁ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଗତ କିଛି ଦିନ ହେବ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ସୋମବାର ୪ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀର ୪୦, ଟିଟିଲାଗଡ଼ ୪୦, ବୌଦ୍ଧ ୪୦, ବାରିପଦା ୩୯, ସମ୍ବଲପୁର ୩୮.୯, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮, ଭଦ୍ରକ ୩୮.୨, ଭବାନୀପାଟଣା ୩୭.୬, ଚାନ୍ଦବାଲି ୩୭ ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨/୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରାଯାଇଛି।