ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ ମଇଳା ପାଣି ବାହାରିଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି। ତେବେ ଏହି ଘଟଣା ନୂଆ ନୁହେଁ। କିଛି ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଚି । ଏବେ ଗତ ବର୍ଷ ଧରିତ୍ରୀ ସହ ଅନ୍ୟ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବର୍ଷେ ତଳେ ଶିଉଳି ଛାଡାଇ ଫାଟ ଯୋଡେଇ କରାଯାଇଥିଲା। ଗ୍ରାଉଟିଂ କରାଯିବା ପରେ ଡ୍ରେନ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା। ମାତ୍ର ଗ୍ରାଉଟିଂ ମେଘନାଦ ପାଚେରିକୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ। ପୁଣି ୩ଟି ସ୍ଥାନରେ ଡ୍ରେନ ପାଣି ଝରି ଶିଉଳି ଚରିଗଲାଣି। ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ଅସୁରକ୍ଷିତ ବୋଲି ଆଲୋଚନା ହେଉଛି। ପ୍ରଶାସନ ଓ ଏଏସାଇ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

Dharitri – Odisha’s No.1 Odia Daily