ଭବାନୀପାଟଣା,୨୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାରଠାରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଜିଲାର ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଥିଲେ ମଧ୍ୟ ମିଲର୍ସ ଆସି ନ ଥିବାରୁ ଚାଷୀଙ୍କ ବସ୍ତାଏ ବି ଧାନ ଉଠି ପାରିନାହିଁ। ଯାହାଫଳରେ କେବଳ ପୂଜାର୍ଚ୍ଚନା ଓ ନଡ଼ିଆ ଭଙ୍ଗାରେ ମଣ୍ଡି ଉଦ୍ଘାଟନ ସୀମିତ ରହିଯାଇଛି। ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରଓ୍ବାଲ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ର ସମେତ ଆର୍ଏମ୍ସି କର୍ମଚାରୀ,ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ଖରିଫ ଓ ରବି ଋତୁର ଧାନକୁ ଏଫ୍ସିଆଇ ଡେଲିଭରି ନେଇ ନ ଥିବା ଯୋଗୁ ବର୍ତ୍ତମାନ ବି ଜିଲାରେ ୩୦ ହଜାର କିଣ୍ଟାଲ ଧାନ ବିଭିନ୍ନ ମିଲ୍ରେ ଗଚ୍ଛିତ ରହିଛି ବୋଲି ମିଲର୍ସ ଅଭିଯୋଗ ଆଣିଛନ୍ତି। ଆଉ ଏବେ ଯଦି ଧାନ ଉଠାଇଲେ ସେହି ଧାନକୁ କେଉଁଠି ରଖିବେ ବୋଲି ପ୍ରଶ୍ନ କରିଛନ୍ତି ମିଲର୍ସ । ସେଥିପାଇଁ ମିଲର୍ସମାନେ ଚୁକ୍ତିନାମା କରି ନ ଥିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଯାହାଫଳରେ ଆରମ୍ଭରୁ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ଚଳିତ ଖରିଫ ଧାନ ବିକ୍ରୟ କରିବା ପାଇଁ ୧ ଲକ୍ଷ ୨୧ ହଜାର ୧୮୧ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ସେହିପରି ଜିଲାରେ ଚଳିତ ବର୍ଷ ୨୨୩ଟି ଧାନ କ୍ରୟ କେନ୍ଦ୍ର କରାଯାଇଥିବାବେଳେ ୨୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅବଶିଷ୍ଟ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଦ୍ୱାରା ଧାନ ସଂଗ୍ରହ କରାଯିବ। ଏହାସହ ଧାନ ଉଠାଣ ଏଥର ୯୦ଟି ରାଇସ୍ ମିଲ୍କୁ ନିୟୋଜିତ କରାଯାଇଛି।