ଭୁବନେଶ୍ୱର,୧ା୧୨(ତ୍ରିନାଥ ମହାନ୍ତି): ବିବାହ ବିଳମ୍ବ ହେବାକୁ ନେଇ ମଣ୍ଡପ କର୍ତ୍ତୃପକ୍ଷ ଏବଂ ବର ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଛି। ହାତଗଣ୍ଠି ପଡି ସାରିଥିଲା। ହେଲେ ବର-କନ୍ୟା ସାତ ଘେରା ବୁଲିବା ପୂର୍ବରୁ ମଣ୍ଡପ କର୍ତ୍ତୃପକ୍ଷ ସେମାନଙ୍କୁ ବେଦିରୁ ଉଠାଇ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ହାତାହାତି ହୋଇଥିଲେ। ଏଭଳି ଘଟଣା ଭରତପୁର ଥାନା କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଏକ କ୍ଲବରେ ଦେଖିବାକୁ ମିଳିଛି। ଖବରପାଇ ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏସ୍ଓଏସ୍ ଭିଲେଜ କଡ଼ରେ ଥିବା ଏକ କ୍ଲବରେ ଜଣେ କର୍ପୋରେଟରଙ୍କ କନ୍ୟା ବାହାଘର ବେଳେ ଏଭଳି ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସେ ତାଙ୍କ ଝିଅର ବାହାଘର ପାଇଁ ୨ ମାସ ପୂର୍ବରୁ ବିବାହ ମଣ୍ଡପ ବୁକିଂ କରିଥିଲେ। ଏ ବାବଦକୁ ୪ ଲକ୍ଷ ଟଙ୍କା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ରବିବାର ଅପରାହ୍ନ ୨ଟାରେ ବାହାଘର ଚାଲିଥିଲା। ବେଦିରେ ବଦକନ୍ୟା ବସିଥିବାବେଳେ ପୁରୋହିତ ମନ୍ତ୍ର ପଢ଼ୁଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଥାନ୍ତେ ବର-କନ୍ୟା। ସନ୍ଧ୍ୟାରେ ଜଣେ ନବ ବିବାହିତଙ୍କ ରିସେପ୍ଶନ ଥିବା ଦର୍ଶାଇ ମଣ୍ଡପ ଖାଲି କରିବାକୁ କହି ତଡ଼ି ଦେଇଥିଲେ ମଣ୍ଡପ କର୍ତ୍ତୃପକ୍ଷ।