ଅଶ୍ଳୀଳତାର ମାୟାଜାଲ

ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଇଣ୍ଟରନେଟ୍‌ର ମାୟାଜାଲ ଅଭଦ୍ରତା, ଅସଭ୍ୟତା ଓ ଅଶ୍ଳୀଳତାର ଭଣ୍ଡାର ପାଲଟି ଗଲାଣି। ବିଶେଷକରି ଦେଶର କିଶୋର ଓ ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଏହି ମାୟାଜାଲ ମାଧ୍ୟମରେ ସତେଯେମିତି ନିତି କସରତ ଓ ଷଡଯନ୍ତ୍ର ଚାଲିଛି। ଟିଭିରେ ପ୍ରଦର୍ଶିତ ‘ଇଣ୍ଡିଆଜ ଗଟ୍‌ ଟ୍ୟାଲେଣ୍ଟ’ ଭାରତ ତଥା ଭାରତ ବାହାରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି ଶୀର୍ଷକର ଲୋକପ୍ରିୟତାକୁ ଆଧାର କରି ‘ଇଣ୍ଡିଆଜ ଗଟ୍‌ ଲେଟେଣ୍ଟ’ ନାମରେ ଏକ ନୂତନ ୟୁଟ୍ୟୁବ୍‌ ଚ୍ୟାନେଲ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରସ୍ତୁତ କରିଛନ୍ତି ସମୟ ରୈନା। ଟ୍ୟାଲେଣ୍ଟର ଅର୍ଥ ସମସ୍ତେ ଜାଣନ୍ତି ପ୍ରତିଭା। କିନ୍ତୁ ଟ୍ୟାଲେଣ୍ଟ ବା ପ୍ରତିଭା ବଦଳରେ ଯୋଡି ଦିଆଗଲା ଲେଟେଣ୍ଟ ଅର୍ଥାତ ଅବ୍ୟକ୍ତ, ଗୁପ୍ତ ବା ସୁପ୍ତ। ଅତି ଚତୁରତାର ସହିତ ଏହି କାର୍ଯ୍ୟକ୍ରମର ନାମ ବଦଳାଯାଇ ଲକ୍ଷ୍ୟ ରଖାଯାଇଛି ଗୁପ୍ତ , ଅବ୍ୟକ୍ତ କଥାର ଯେପରି ସାର୍ବଜନୀନ କରାଯାଇପାରିବ। ଆଉ ଏହି ଗୁପ୍ତ, ଅବ୍ୟକ୍ତ କଥାର ମୂଳମଞ୍ଜି ହେଉଛି ସେକ୍ସ। ତେଣୁ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବସାଧାରଣରେ ସେକ୍ସ ସମ୍ବନ୍ଧୀୟ କଥା ଆଲୋଚନା କରାଯାଇ ଯୁବ ଗୋଷ୍ଠୀଙ୍କୁ ଭ୍ରମିତ କରାଯାଉଛି। ନିକଟରେ ୟୁଟ୍ୟୁବର ରଣବୀର ଆଲ୍ଲାହବାଦିଆ ଓ ସମୟ ରୈନା ୟୁଟ୍ୟୁବ୍‌ ଶୋ’ରେ ଯେପରି ଭାବରେ ମା’ ବାପାଙ୍କ ଉପରେ ବିବାଦୀୟ ଓ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ତାହା ତା’ର ଜ୍ୱଳନ୍ତ ସଦ୍ୟ ଉଦାହରଣ।
ସାଧାରଣ ଦର୍ଶକଙ୍କ ପାଇଁ ଯୌନାଳାପ ଅଶ୍ଳୀଳତା ହୋଇପାରେ, କିନ୍ତୁ ୟୁଟ୍ୟୁବର ରଣବୀର ଆଲ୍ଲାହବାଦିଆ ଓ ସମୟ ରୈନାଙ୍କ ପାଇଁ ତ ଏହା ରୋଜଗାରର ଉତ୍ସ। ୟୁଟ୍ୟୁବରମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କେବଳ ଲକ୍ଷ ଲକ୍ଷ ଯୁବ ଓ କିଶୋର ଗୋଷ୍ଠୀଙ୍କ ପାଇଁ। ୟୁଟ୍ୟୁବ୍‌ ହେଉଛି ଏକ ଆମେରିକୀୟ ଅନ୍‌ଲାଇନ ଭିଡିଓ-ଶେୟାରିଂ ପ୍ଲାଟ୍‌ଫର୍ମ, ଯାହାର ମୁଖ୍ୟାଳୟ କାଲିଫର୍ନିଆର ସାନ ବ୍ରୁନୋରେ ଅବସ୍ଥିତ। ପ୍ରଥମେ ୨୦୦୫ରେ ଏହା ତିନି ଜଣ ପୂର୍ବତନ ପେ ପଲ କର୍ମଚାରୀ – ଚାଡ ହର୍ଲି, ଷ୍ଟିଭ ଚେନ ଏବଂ ଜାୱେଦ କରିମଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବର୍ଷକ ପରେ ଗୁଗ୍‌ଲ ଏହି ସାଇଟ୍‌ କିଣିଥିଲା। ଜଣେ ୟୁଟ୍ୟୁବର ପ୍ରତି ଦୃଶ୍ୟ ପାଇଁ କେତେ ଟଙ୍କା ରୋଜଗାର କରନ୍ତି ତାହା ବହୁତ ଭିନ୍ନ ହୋଇଥାଏ ଏବଂ ଏହା ବିଜ୍ଞାପନର ପ୍ରକାର, ଦର୍ଶକଙ୍କ ସ୍ଥାନ ଏବଂ ବିଜ୍ଞାପନଦାତାଙ୍କ ବଜେଟ ଭଳି ଅନେକ କାରଣ ଉପରେ ନିର୍ଭର କରେ। ହାରାହାରି ଭାବରେ ପ୍ରତି ଏକ ହଜାର ଦର୍ଶକଙ୍କ ପାଇଁ ଜଣେ ୟୁଟ୍ୟୁବର ଦଶ ମଧ୍ୟରେ ରୋଜଗାର କରିବାର ଆଶା କରିପାରିବେ। ଇଣ୍ଟରନେଟ୍‌ରେ ଉପଲବ୍ଧ ୟୁଟ୍ୟୁବ୍‌ରେ କ’ଣ ସବୁ ପ୍ରଦର୍ଶନ ହେଉଛି ତାହା ୟୁଟ୍ୟୁବ୍‌ ମାଲିକଙ୍କ କିଛି ଯାଏ ଆସେ ନହିଁ। କେତେ ଅଧିକ ଦର୍ଶକ ଏହାକୁ ଦେଖିଲେ ସେଥିରେ ତାଙ୍କର ମତଲବ ଥାଏ। ନିକଟରେ ପ୍ରସାରିତ ଏହି ବିବାଦୀୟ ଇଣ୍ଡିଆଜ ଗଟ୍‌ ଲେଟେଣ୍ଟରେ ଜଣେ ପ୍ରତିଯୋଗୀଙ୍କୁ ଏପରି ଅଶାଳୀନ ଓ ଅଭଦ୍ର ପ୍ରଶ୍ନ ରଣବୀର ଆଲ୍ଲାହବାଦିଆ ପଚାରିଲେ ତାହା ଏହି ଆଲେଖ୍ୟରେ ଲେଖିବା ସମ୍ଭବ ନୁହେଁ। ନିଜ ମାତା-ପିତାଙ୍କ ଶାରୀରିକ ସମ୍ବନ୍ଧ ସମ୍ପର୍କରେ ଯେତେବେଳେ ପ୍ରତ୍ୟାଶୀଙ୍କୁ ରଣବୀର ଆଲ୍ଲାହବାଦିଆ ପ୍ରଶ୍ନ କରୁଥିଲେ ସେତେବେଳେ ପ୍ରତ୍ୟାଶୀ ହସୁଥିଲେ, କିନ୍ତୁ ଏହାକୁ ଦେଖୁଥିବା ଲକ୍ଷ ଲକ୍ଷ ଦର୍ଶକ ରକ୍ତଚାଉଳ ଚୋବାଉଥିଲେ। ସମୟ ରାଇନାଙ୍କ ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ ଗଟ୍‌ ଲାଟେଣ୍ଟର ଏହି ଅଧ୍ୟାୟ ବଡ଼ ବିବାଦରେ ପରିଣତ ହେବାର କିଛି ଦିନ ପରେ ହାସ୍ୟ ଅଭିନେତା ସମୟ ରାଇନା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରୁ ଶୋ’ର ସମସ୍ତ ଭିଡିଓ ଡିଲିଟ୍‌ କରିଦେଇଛନ୍ତି। ଆଲ୍ଲାହବାଦିଆ ପଚାରିଥିବା ପ୍ରଶ୍ନ ସମ୍ପର୍କରେ କିଏ ବା ନ ଜାଣେ। ତା’ ବୋଲି କ’ଣ ଏ ସମ୍ପର୍କରେ ସାଧାରଣ ମଞ୍ଚରେ ଆଲୋଚନା କରିବା? ଏବେ ଇଣ୍ଟରନେଟ୍‌ରେ ଅନେକ ୟୁଟ୍ୟୁବର ହାସ୍ୟରସ ନାମରେ କେବଳ ଦ୍ବିଅର୍ଥବୋଧକ ଛାଡି ମାଲାମାଲ ହେଉଛନ୍ତି। ଶସ୍ତା ଲୋକପ୍ରିୟତା ଓ କମ୍‌ ପରିଶ୍ରମରେ ଅଧିକ ଆୟ ପାଇଁ ଅନେକ ୟୁଟ୍ୟୁବର ଅଶ୍ଳୀଳ ଭିଡିଓକୁ ମାଧ୍ୟମ କରୁଛନ୍ତି। ପୁରୁଷ ଓ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଏପରି ଚର୍ଚ୍ଚା କରାଯାଉଛି ଯେପରି ଆସବାବପତ୍ରର ଚର୍ଚ୍ଚା ହେଉଛି। ଯୌନଭିତ୍ତିକ କଥା କହି ହାସ୍ୟରସ ସୃଷ୍ଟି କରୁଥିବା ଷ୍ଟାଣ୍ଡ ଅପ୍‌ କମେଡି ସମ୍ପ୍ରତି ଯୁବ ଗୋଷ୍ଠୀଙ୍କ ଅତି ପ୍ରିୟ କାର୍ଯ୍ୟକ୍ରମ ହୋଇଛି। ଯେଉଁମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟିକେଟ କିଣି ଷ୍ଟାଣ୍ଡ ଅପ୍‌ କମେଡି ଦେଖିପାରୁନାହାନ୍ତି ସେମାନଙ୍କ ପାଇଁ ଇଣ୍ଟରନେଟ୍‌ରେ ତାହା ଛାଡି ଦିଆଯାଉଛି। ଲକ୍ଷ ଲକ୍ଷ ଲାଇକ ଓ କମେଣ୍ଟ ମିଳି ଯାଉଛି ଏବଂ ତା’ ସହ ସେମାନଙ୍କର ରୋଜଗାର ବି ଭଲ ହେଉଛି।
ସର୍ବେକ୍ଷଣ କୁହେ ବୟସ ଓ ଲିଙ୍ଗ ନିର୍ବିଶେଷରେ ପ୍ରାୟ ୮୬ କୋଟି ଭାରତୀୟ ଇଣ୍ଟରନେଟ୍‌ର ସୋସିଆଲ ମିଡିଆରେ ଯୋଡି ହୋଇ ରହିଛନ୍ତି ଯାହାକି ବିଶ୍ବରେ ସର୍ବାଧିକ। ଯଦି ଯୁବପିଢିଙ୍କ କଥା ବିଚାରକୁ ନିଆଯାଏ ତେବେ ସେମାନେ ସୋସିଆଲ ମିଡିଆରେ ପ୍ରତିଦିନ ହାରାହାରି ପ୍ରାୟ ଅଢେଇ ଘଣ୍ଟା ବିତାଉଛନ୍ତି। ଆଉ କିଶୋରଗୋଷ୍ଠୀ ଇନ୍‌ଷ୍ଟାଗ୍ରାମ୍‌ ଏବଂ ୟୁଟ୍ୟୁବ୍‌ ଭଳି ପ୍ଲାଟ୍‌ଫର୍ମରେ ପ୍ରାୟତଃ ଦୈନିକ ଦୁଇ ତିନି ଘଣ୍ଟାରୁ ଅଧିକ ସମୟ ବ୍ୟୟ କରୁଛନ୍ତି। ଯୌନଭିତ୍ତିକ ହାସ୍ୟରସ ପ୍ରତି ଯୁବ-କିଶୋରଙ୍କ ଦୁର୍ବଳତାକୁ ଆୟୁଧ କରି ୟୁଟ୍ୟୁବରମାନେ ଏହାକୁ ଇଣ୍ଟରନେଟ୍‌ରେ ପରଷି ଦେଉଛନ୍ତି। ଏମିତି ତ ଇଣ୍ଟରନେଟ୍‌ରେ ପର୍ନସାଇଟ୍‌ ବା ଅଶ୍ଳୀଳ ଚିତ୍ର ଦେଖିବାରେ ଭାରତୀୟମାନେ ବିଶ୍ବରେ ସର୍ବାଧିକ। ଏହାକୁ ଭିତ୍ତିକରି ଭାରତୀୟ ସଂସ୍କୃତି ଉପରେ ଏହା ଆକ୍ରମଣ ହେଉନାହିଁ କି? କୁହାଯାଏ କୌଣସି ରାଷ୍ଟ୍ରକୁ ଧ୍ବଂସ କରିବାକୁ ହେଲେ ପ୍ରଥମେ ତାହାର ସଂସ୍କୃତିକୁ ନଷ୍ଟ କରିଦିଅ। ତେବେ ମହାନ୍‌ ଭାରତୀୟ ସଂସ୍କୃତିକୁ, ସାମାଜିକ ସ୍ଥିତିକୁ ନଷ୍ଟ କରିବା ପାଇଁ ଇଣ୍ଟରନେଟ୍‌ର ସୋସିଆଲ ମିଡିଆ ଚକ୍ରାନ୍ତ ହେଉ ନାହିଁ ତ ? ଖବର ପ୍ରକାଶ ପାଇଛି ଯେ ଆମେରିକାର ଗୋଇନ୍ଦା ସଂସ୍ଥା ସିଆଇଏ ୩୦ଟି ଦେଶରେ ଲୋକତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ୯ ହଜାର ମିଡିଆ କର୍ମୀଙ୍କୁ ତାଲିମ ଦେଇଛି। ସେମାନଙ୍କୁ ପ୍ରଚୁର ଆର୍ଥିକ ପ୍ରୋତ୍ସାହନ ବି ଦିଆଯାଇଛି ଓ ଭାରତରେ ମଧ୍ୟ ଏହି ମିଡିଆ କର୍ମୀ ସାମିଲ ଅଛନ୍ତି। ଏହି କର୍ମୀମାନେ ୟୁଟ୍ୟୁବର ନୁହନ୍ତି ତ ? ଏମାନଙ୍କୁ କୋଟି କୋଟି ଟଙ୍କା କେମିତି ମିଳୁଛି ? ଏହା ନିଶ୍ଚିତ ବିଚାର ସାପେକ୍ଷ। ଅବଶ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଇତିମଧ୍ୟରେ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ବିବାଦୀୟ ୟୁଟ୍ୟୁବର ଆଲ୍ଲାହବାଦିଆଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ସୁପ୍ରିମକୋର୍ଟ ସେସବୁର ଏକତ୍ର ଶୁଣାଣି କରିଛନ୍ତି ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକରେ ବଢିଚାଲିଥିବା ଅଶ୍ଳୀଳ ବିଷୟବସ୍ତୁର ଦୁରୁପଯୋଗ ରୋକିବା ପାଇଁ ଆଇନ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାକ୍‌ ସ୍ବାଧୀନତା ନାମରେ ସାମାଜିକ ନିୟମ ବିରୋଧରେ ଯାହାକିଛି କହିବା ପାଇଁ କାହାକୁ ଲାଇସେନ୍ସ ଦିଆଯାଇନାହିଁ। ଅଶ୍ଳୀଳତାର ସୀମାକୁ ସମସ୍ତେ ବୁଝିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ ଓ ନିଜର ଅପରିଷ୍କାର ମାନସିକତାରେ ସବୁକିଛି କହିପାରିବେ ନାହିଁ ବୋଲି ୟୁଟ୍ୟୁବରଙ୍କୁ ତାଗିଦ କରିଥିଲେ। ବାସ୍ତବରେ ସୋସିଆଲ ମିଡିଆ ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ ବା ଏହାକୁ ନିୟନ୍ତ୍ରଣ କରିବାକୁ କୌଣସି ସେନ୍‌ସର ବୋର୍ଡ ନ ଥିବାରୁ ଏହାର କୁପ୍ରଭାବ ଦିନକୁ ଦିନ ବଢିଚାଲିଛି। ଏହାଦ୍ବାରା ବିଶେଷ ପ୍ରଭାବିତ ହେଉଛନ୍ତି ଆମର ଯୁବ ଓ କିଶୋର ଗୋଷ୍ଠୀ। ସିନେମାର ବିଷୟବସ୍ତୁ ଆଧାରରେ ଏହାର ସେନ୍‌ସର ହେଉଛି ଓ ପ୍ରଦର୍ଶିତ ପୂର୍ବରୁ ଏହାକୁ ତଦନୁଯାୟୀ ମିଳୁଛି ସାର୍ଟିଫିକେଟ। କିନ୍ତୁ ୟୁଟ୍ୟୁବ୍‌ ପାଇଁ ଏହା ସବୁଦିଗରୁ ମୁକ୍ତ ଓ ସୁଲଭ। ଯିଏ ଯାହା ଚାହୁଁଛି ତାହା ଦେଖାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ନ ହେଲେ ଅଶ୍ଳୀଳତାର ମାୟାଜାଲର ପ୍ରଭାବରେ ଆମର ଭବିଷ୍ୟତ କୁହାଯାଉଥିବା ଯୁବ ଓ କିଶୋର ଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ ନୈତିକ ଅଧଃପତନ ହୋଇଯିବ ଏଥିରେ ସନ୍ଦେହ ନାହିଁ।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?