କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ପୋଲିସ, ବନ ଓ ଅବକାରୀ ବିଭାଗ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ।
ସୂଚନାଯୋଗ୍ୟ, କେନ୍ଦୁଝର ସଦର ଥାନାର ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ଅଫିମ ମାଫିଆମାନେ ନିରୀହ ଗରିବ ଆଦିବାସୀମାନଙ୍କୁ ଏହା ଚାଇନା ଶାଗ ଓ ଏହାକୁ ଚାଷ କଲେ ବ୍ୟାପକ ରୋଜଗାର ହେବାର ପ୍ରଲୋଭିତ କରି ଅଫିମ ଚାଷ କରିଥିଲେ। ଏପରିକି ଏହାର ମଞ୍ଜି ମଧ୍ୟ ସେମାନେ ଯୋଗାଇ ଦେଇଥିଲେ ଓ ଗାଁ ସାରା ଲୋକଙ୍କୁ ଏହା ଚାଷ କରିବାରୁ ପ୍ରବର୍ତ୍ତାଇ ଥିଲେ। ଗୁରୁବାର ଯେତେବେଳେ ଗାଁରେ ପୋଲିସ, ବନ ଓ ଅବକାରୀ ବିଭାଗର ଟିମ୍ ଏହା ଜିଲାରେ ଏକ ବଡ଼ ସଫଳତା ବୋଲି ଜଣାପଡ଼ିଛି। ଅଫିମ ଚାଷ ପାଇଁ ଗଛ ସବୁକୁ ଧାଡ଼ି ଧାଡ଼ି କରି ଲାଗାଯାଇଛି। ସେଥିରେ ପାଣି ଦେବା ପାଇଁ ସିଆର କରାଯାଇଛି। ଫଳର ଅଫିମ ଗଛ ସବୁ ହୃଷ୍ଟପୃଷ୍ଟ ହୋଇ ଫୁଲ ଓ ଫଳ ହେଲାଣି ଆଉ କିଛିଦିନ ପରେ ଅମଳ ହୋଇଥାନ୍ତା ଓ ମାଫିଆମାନେ ମାଲାମାଲ ହୋଇଥାନ୍ତେ।
ଗୁରୁବାର ବନ ବିଭାଗ, ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଭାବେ ଏସବୁ ଅଫିମ ଗଛ ସବୁକୁ କାଟି ଉପାଡ଼ି ନଷ୍ଟ କରି ଦେଇଛନ୍ତି। ଆଗକୁ ବିଭାଗ ତରଫରୁ ଏଭଳି ବେଆଇନ ଅଫିମ ଚାଷ ନଷ୍ଟ କରାଯିବ ବୋଲି ସୂଚନା ଦେଇଛି। କେନ୍ଦୁଝର ଜିଲାରେ ଯୋଡ଼ା, ବାଂଶପାଳ, ସଦର, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରୁ ଗତ କିଛି ମାସ ମଧ୍ୟରେ ବ୍ୟାପକ ଗଞ୍ଜେଇ ଓ ଅଫିମ ଚାଷକୁ ବନ, ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଥିଲେ ହେଁ, ଅଦ୍ୟାବଧି କାହାରିକୁ ଗିରଫ କରି ନ ପାରିବା କିମ୍ବା ଏହା ପଛରେ କାହାର ହାତ ଅଛି ଜାଣି ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଏତେ ପରିମାଣରେ ଚାଷ ବିଭିନ୍ନ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ମାସ ମାସ ଧରି ହୋଇଥିଲେ କିଭଳି ଟେର୍ ପାଉନାହାନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।