ମେଶିନ ଅଚଳରୁ ଅଧାରୁ ଅଟକିଥିଲା ଅସ୍ତ୍ରୋପଚାର, ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା କମିଶନ ସଦସ୍ୟା

ବରଗଡ଼,୨୦ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମେଶିନ ଅଚଳ ଯୋଗୁ ଅସ୍ତ୍ରୋପଚାର ଅଧାରେ ଅଟକିବା ଘଟଣାକୁ ମହିଳା କମିଶନ ଗୁରୁତ୍ୱର ସହିତ ନେଇଛି।

ଏହି କ୍ରମରେ ଶନିବାର ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ବରଗଡ଼ ଡାକ୍ତରଖାନାରେ ପହଞ୍ଚି ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଜିଲା ପରିବାର ନିୟୋଜନ ଅଧିକାରୀ ଡା. ସୁବାସ ଅଗ୍ରଓ୍ବାଲ, ଏଡିଏମ୍‌ଓ(ମେଡିକାଲ) ଡା. ସୁରେଶ ତ୍ରିପାଠୀ, ଏଏନ୍‌ଏମ ଉଷାରାଣୀ ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ, ହସ୍ପିଟାଲ ମ୍ୟାନେଜର ପ୍ରମୁଖଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ତେବେ ତଦନ୍ତ ପରେ ମହିଳା କମିଶନ ପକ୍ଷରୁ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା’ ଉପରେ ସଭିଙ୍କ ନଜର ରହିଛି।

ପ୍ରକାଶ ଥାଉକି, ଗତ ୧୮ ତାରିଖରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ୨୮ ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ପାଇଁ ଅସ୍ତ୍ରୋପଚାର ଅଧାରେ ଅଟକିଥିଲା। ଅନ୍ୟ ମେଶିନ ଆସିବା ପରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା।

Share